କାନୁପୁର, ସୁବର୍ଣ୍ଣରେଖା ଏବଂ ଆନନ୍ଦପୁର ଜଳ ସେଚନ ପ୍ରକଳ୍ପ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଭୁବନେଶ୍ୱର (Suvendra Pattanaik) : ଆଜି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାନୁପୁର, ସୁବର୍ଣ୍ଣରେଖା ଏବଂ ଆନନ୍ଦପୁର ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, କାନୁପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ୟ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇଛି । ପ୍ରାରମ୍ଭିକ ମୌସୁମୀ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଡିପ୍ଲିସିଏସନ୍ ସ୍ଲୁଇସ୍ ଏବଂ କିଛି ଗେଟ୍ ନିର୍ମାଣକୁ ଛାଡି ଦେଲେ ମୁଖ୍ୟ କେନାଲ ଏବଂ ବଣ୍ଟନ ବ୍ୟବସ୍ଥା ଯଥାକ୍ରମେ ୯୪% ଏବଂ ୭୫% ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ରବି ଋତୁରେ ୧୨୦୦୦ ହେକ୍ଟର ରବି ଜଳସେଚନ ଯୋଗାଇ ଦିଆଯିବ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପର୍ୟ୍ୟାୟ-୧ କାର୍ୟ୍ୟ ସମ୍ପୂର୍ଣ୍ଣ ସମାପ୍ତ ହୋଇଛି ଏବଂ ପର୍ୟ୍ୟାୟ-୨ କାର୍ୟ୍ୟ ଭଲ ଭାବରେ ଅଗ୍ରଗତି କରୁଛି ।
ସେହିପରି ଆନନ୍ଦପୁର ପ୍ରକଳ୍ପ ନିର୍ମାଣ ମଧ୍ୟ ଭଲ ଭାବରେ ଅଗ୍ରଗତି କରୁଛି । ଲିଙ୍କ କେନାଲ ସମ୍ପୂର୍ଣ୍ଣ ହୋଇଛି । ବୈତରଣୀ ଦକ୍ଷିଣ ତଟ କେନାଲ ଏବଂ ସାଳନ୍ଦୀ ବାମ ମୁଖ୍ୟ କେନାଲ ସମ୍ପୂର୍ଣ୍ଣ ହେବା ଉପରେ ରହିଛି । ୧୨୦୦୦ ହେକ୍ଟର ଆୟକଟ ପୂର୍ବରୁ ବିକଶିତ ହୋଇସାରିଛି ଏବଂ ଅନ୍ୟାନ୍ୟ ବଣ୍ଟନ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇ ଚାଲିଥିବା ବୈଠକରୁ ଜଣାଯାଇଛି ।