Odisha news

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା : ଢେଙ୍କାନାଳର ସବୁଜ ଅମୃତଭଣ୍ଡା ସହ ପ୍ରଥମଥର ପାଇଁ ସାରୁ ସୁଦୂର ଆୟରଲ୍ୟାଣ୍ଡରେ ଉପଲବ୍ଧ ହେବ

0

ଭୁବନେଶ୍ୱର(Suvendra Pattanaik) : ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି । ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ ନେତୃତ୍ୱ , ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମର ମିଳିତ ସମନ୍ୱୟରେ ଏହି ସଫଳତା ସମ୍ଭବ ହୋଇଛି।

ଏହି ସଫଳତାର ମଙ୍ଗ ଧରିଛି ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’, ଯାହା କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତିର ପ୍ରତୀକ ପାଲଟିଛି। ଏକ ସମୃଦ୍ଧ କୃଷି ଅର୍ଥନୀତି ଗଠନ, ଚାଷୀ ଭାଇଭଉଣୀଙ୍କୁ ନିଜ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହ ବିଶ୍ୱ ବଜାରରେ ଓଡ଼ିଶାର କୃଷିଜାତ ଦ୍ରଵ୍ୟର ଚାହିଦା ବୃଦ୍ଧି ଦିଗରେ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ ନିଜର ନିରନ୍ତର ଉଦ୍ୟମ ଜାରି ରଖିଛି | ଚଳିତ ଥର ଅମୃତଭଣ୍ଡା ସହ ପ୍ରଥମ ଥର ଉଚ୍ଚ ଗୁଣବତ୍ତା ସମ୍ପନ୍ନ ତଥା ସ୍ୱାଦିଷ୍ଟ ସାରୁ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ କରି ଏହି କୃଷକ ଉତ୍ପାଦକ ସଂଗଠନ ନିଜ ସଫଳତାର ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି | ଏହା କେବଳ ଏକ ରପ୍ତାନୀ ନୁହେଁ, ବରଂ ଓଡ଼ିଶାର ଚାଷୀଙ୍କ ସ୍ୱପ୍ନକୁ ଏକ ବିଶ୍ୱସ୍ତରୀୟ ମଞ୍ଚ ଦେବାର ପ୍ରୟାସ। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ସହ କୃଷି ବିଭାଗ ନେତୃତ୍ୱରେ ପାଲାଡିୟମର ସମନ୍ୱୟରେ ୨୦୨୪ ଠାରୁ ଏ ପର୍ଯ୍ୟନ୍ତ ୧୪୦ ମେଟ୍ରିକ ଟନରୁ ଉର୍ଦ୍ଧ୍ବ ସତେଜ ପନିପରିବା ଓ ଫଳ ୧୦ ଟି ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରାଯାଇଛି | ଏହି ରପ୍ତାନୀକରଣ ମାଧ୍ୟମରେ ସମ୍ପୃକ୍ତ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ୪୦% ରୁ ୬୨% ପର୍ଯ୍ୟନ୍ତ ବର୍ଦ୍ଧିତ ମୂଲ୍ୟ ପାଇବାରେ ସକ୍ଷମ ହେଇପାରିଛନ୍ତି |

ଏହି ପଦକ୍ଷେପ ଚାଷୀମାନଙ୍କୁ କେବଳ ଉଚିତ୍ ମୂଲ୍ୟ ଦେବ ନାହିଁ, ବରଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ବିଶ୍ୱ ବଜାରର ଚାହିଦା ପୂରଣ ପାଇଁ ସକ୍ଷମ କରାଉଛି । ରପ୍ତାନୀର ଏହି ସଫଳତା ସାରା ରାଜ୍ୟର ଅନ୍ୟ କୃଷି ଉତ୍ପାଦକ ପୁଞ୍ଜ ଓ କୃଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

Leave A Reply