ଭୁବନେଶ୍ୱର,(ନି.ପ୍ର): ବାଲିଯାତ୍ରା ପଡିଆରୁ ଜବତ ହୋଇଥିବା ଗଳିତଶବର ବ୍ୟବଚ୍ଛେଦ ଏମ୍ସ ହସ୍ପିଟାଲରେ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିବା ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି । ପୋଲିସ କହିବାନୁଯାୟୀ, ବ୍ୟବଚ୍ଛେଦ ରିପୋର୍ଟ ମିଳି ନାହିଁ । ଭିଷେରା ପରୀକ୍ଷା ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଶବ ପଚିଗଲେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁ ରହସ୍ୟ ଜଣାନପଡିବା ସ୍ୱଭାବିକ କଥା । ପରିଚୟ ପାଇବା ପାଇଁ ପୋଲିସ ପୋଷ୍ଟର ପ୍ରସ୍ତୃତ କରୁଛି । ରାଜଧାନୀ ସମେତ ଓଡିଶାର ବିଭିନ୍ନ ଥାନା ଓ ସର୍ବସାଧାରଣ ସ୍ଥାନରେ ଲଗାଯିବ ବୋଲି ସୂଚନା ମିଳିଛି ।
କୁଆଖାଇ ନଦୀପଠାରୁ ମିଳିଥିବା ଅଜଣା ଯୁବକର ମୃତଦେହ ଏବେ କମିଶନରେଟ୍ ପୋଲିସ ପାଇଁ ଚିନ୍ତା ବଢେଇବାରେ ଲାଗିଛି । ଉକ୍ତ ଯୁବକର ନା ମିଳୁଛି ପରିଚୟ ନା ଜଣାପଡୁଛି ମୃତ୍ୟୁର ପ୍ରକୃତ କାରଣ । ଗତକାଲି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଏମ୍ସକୁ ପଠାଯାଇଥିବା ବେଳେ ଶୁକ୍ରବାର ପ୍ରାରମ୍ଭିକ ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁସାରେ ଉକ୍ତ ଯୁବକଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ, ଓଜନ ୪୬ କେଜି ଏବଂ ଉଚ୍ଚତା ୫ ଫୁଟ ୮ ଇଞ୍ଚ । ଏମ୍ସର ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ପୋଷ୍ଟମର୍ଟମ ରିପାର୍ଟ ଆଧାରରେ ଉକ୍ତ ଯୁବକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଏପରିକି ଶରୀରରୁ ବିଷ କି କେମିକାଲର ନମୁନା ମଧ୍ୟ ମିଳିନାହିଁ ।
ତଣ୍ଟି ଚିପା କି ଅଣନିଶ୍ୱାସୀ କରି ମାରିବାର କୌଣସି ଚିହ୍ନ ମଧ୍ୟ ମିଳିନି । ଅନ୍ୟଲୋକର ଫିଙ୍ଗରପ୍ରିଣ୍ଟ ମଧ୍ୟ ନାହିଁ । ତେଣୁ କେଉଁଭଳି ଭାବରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି ଡାକ୍ତରୀ ଦଳ ତାହାର କାରଣ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି । ତେଣୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏବେ ଏକମାତ୍ର ଭରସା ହେଉଛି ଭିଷେରା ରିପୋର୍ଟ ବୋଲି ସେ କହିଛନ୍ତି ।
ସେପଟେ ଉକ୍ତ ଯୁବକ ଜଣକ କିଏ, କେଉଁଠି ତାଙ୍କ ଘର, କଣ ତାଙ୍କ ପରିଚୟ,ଏ ନେଇ କୌଣସି ତଥ୍ୟ ପୋଲିସକୁ ଏଯାଏଁ ହସ୍ତଗତ ହୋଇପାରିନାହିଁ । ଏ ସମସ୍ତ ତଥ୍ୟ ପାଇବା ପାଇଁ ସ୍ପେଶାଲ ସ୍କ୍ୱାଡ଼, ମଞ୍ଚେଶ୍ୱର ଥାନା ପୋଲିସ ଏବଂ କମିଶନରେଟ ପୋଲିସର ନିଖାଜ ଅଥବା ଅପହରଣ ସେଲ ଉଦ୍ୟମ ଜାରିରଖିଛନ୍ତି ।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକ କଟକ କି ଭୁବନେଶ୍ୱର ଅଞ୍ଚଳର ନୁହଁନ୍ତି ବୋଲି ଅନୁମାନ କରାଯାଉଛି । କାରଣ କଟକ ଓ ଭୁବନେଶ୍ୱରରେ ଏହି କିଛିଦିନ ମଧ୍ୟରେ କୌଣସି ଥାନାରେ ଏଭଳି ନିଖୋଜ ଅଥବା ଅପହରଣ ସଂପର୍କିତ ଅଭିଯାଗ ହୋଇନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ । ତେଣୁ ଅନ୍ୟଜିଲ୍ଳାର ବିଭିନ୍ନ ଥାନାର ନିଖୋଜ ଅଥବା ଅପହରଣ ରିପୋର୍ଟକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ପରିଚୟ ଜାଣିବା ପାଇଁ ପୋଲିସ ପୋଷ୍ଟର ପାଇଁ ପ୍ରସ୍ତୃତ ହେଉଥିବା ସୂଚନା ମିଳିଛି ।
ଭୁବନେଶ୍ୱର ଏବଂ ଭୁବନେଶ୍ୱର ବାହାରକୁ ମୃତକଙ୍କ ପୋଷ୍ଟର ପଠାଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ସେପଟେ ଉକ୍ତ ବ୍ୟକ୍ତିଙ୍କର ଭିଷେରାକୁ ପ୍ରିଜର୍ଭ କରାଯାଇଛି ଏବଂ ତାକୁ ଷ୍ଟେଟ ଫରେନସିକ ଲାବରୋଟୋରିକୁ ପଠାଯାଇ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ଉଦ୍ୟମ କରିବ ।
Comments are closed.