ଭୁବନେଶ୍ୱର,(ନି.ପ୍ର): ଶନିବାର ରାତିରେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ଷ୍ଟେସନ ବଜାରରେ ଥିବା ସାଇମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଇଛନ୍ତି ୩୦ ହଜାର ଟଙ୍କା । ଏ ନେଇ ମନ୍ଦିରର ପୂଜକ ନିରଞ୍ଜନ ପୂଜାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଛି । ମନ୍ଦିରରେ ସିସିଫୁଟେଜ୍ ଥିବାରୁ ଅପରାଧୀ କିପରି ଲୁଟ୍ପାଟ କରିଛି ତାର ସମସ୍ତ ଦୃଶ୍ୟ ଏଥିରେ କଏଦ ହୋଇଯାଇଛି । ଏ ନେଇ ଥାନା ଅଧିକାରୀ ଭରତ ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଭିଯୁକ୍ତର ଫଟୋ ସିସିଫୁଟେଜରେ କଏଦ ହୋଇଥିବାରୁ ତାକୁ ଧରିବାରେ ସହଜ ହେବ ।
ଲକ୍ଷ୍ମୀସାଗର ଥାନା ନିକଟସ୍ଥ ଷ୍ଟେସନ ବଜାରରେ ସାଇବାବାଙ୍କ ମନ୍ଦିର । ମନ୍ଦିରର ପୂଜକ ନିରଞ୍ଜନ ପୂଜାରୀ(୩୦) ପ୍ରତ୍ୟେକ ଦିନ ରାତି ୯ଟା ପରେ ଆଳତି ସରିବା ପରେ ମନ୍ଦିର ବନ୍ଦ କରି ଘରକୁ ଚାଲି ଯାଆନ୍ତି । ଶନିବାର ଦିନ ଜଣେ ଲୁଟେରା ମନ୍ଦିରରେ ପ୍ରବେଶ କରିବା ପରେ ହୁଣ୍ଡିକୁ କୋ÷ଣସି ଲୁହା ସାହାର୍ଯ୍ୟରେ ଭାଙ୍ଗି ସେଥିରେ ଥିବା ୩୦ହଜାର ଟଙ୍କା ନେଇ ପଳାଇଥିଲେ । ରବିବାର ସକାଳ ୬ଟାରେ ଶ୍ରୀ ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଆସି ଦେଖିବା ବେଳକୁ ହୁଣ୍ଡିଟି ଭାଙ୍ଗିଯିବା ସହ ସେଥିରୁ ଟଙ୍କା ଗାଏବ ହୋଇଯାଇଛି । ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଫୁଟେଜକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ।