ବାରିପଦା : ମୟୂରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରାଜଜ୍ ଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୮୦୮୮ ଗୋଟି ମାମଲା ମଧ୍ୟରୁ ୧୩୮୮ଟି ମାମଲାର ଆପୋଷ ବିଚାର ହୋଇ ୩କୋଟି ୬୧ଲକ୍ଷ ୫୮ହଜାର ୭୮୬ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରି ଲିଟିଗେଶନ ସମ୍ୱନ୍ଧୀୟ ୬୪୧୭ଟି ମାମଲା ମଧ୍ୟରୁ ୫୭୯୨ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ ୬୨୫ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ ୧କୋଟି ୭୮ଲକ୍ଷ ୬୪ହଜାର ୯୮୯ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ସେହିପରି ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୧୯, ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୨୯ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ସମ୍ଭନ୍ଧୀୟ ୩ଟି, ମୋଟର ଯାନ ଦୁର୍ଘଟଣା ମାମଲା, ୧୬ଟି, ବୈବାହିକ ସମ୍ୱନ୍ଧୀୟ ୭ଟି ରାଜସ୍ୱ ମାମଲା ୭୧୨ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା ୩୬ଟିକୁ ମିଶାଇ ମୋଟ ୯୩୬ଟି ମାମଲା ଫଇସଲା କରାଯାଇ ମୋଟ ୧କୋଟି ୮୨ଲକ୍ଷ ୯୩ ହଜାର ୭୯୭ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଏହି ଦୁଇ ବର୍ଗର ମୋଟ ୮୦୮୮ ମାମଲା ମଧ୍ୟରୁ ୧୩୮୮ଗୋଟି ମାମଲା ଫଇସଲା କରାଯାଇ ମୋଟ ୩କୋଟି ୬୧ଲକ୍ଷ ୫୮ହଜାର ୭୮୬ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ସୂଚିତ ହୋଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମିସ୍ ଶିବାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଫାମିଲି କୋର୍ଟ ଜଜ ବିରଞ୍ଚି ନାରାୟଣ ମହାନ୍ତି, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ ଡଃ ଦୀପକ ରଞ୍ଜନ ସାହୁ, ସିନିୟର ସିଭିଲ ଜଜ ସୁଦାମ ଚରଣ ଦାସ, ସିନିୟର ସିଭିଲ ଜଜ ପଲ୍ଲବୀ ରାଣୀ ସାହୁ, ଅତିରିକ୍ତ ସିଭିଲ ଜଜ୍ କୈଳାଶ ସାହୁ, ଦ୍ୱିତୀୟ ଅତିରିକ୍ତ ସିଭିଲ ଜଜ ବିଶ୍ୱକଳ୍ପିତା ମହାନ୍ତି, ଏସଡିଜେଏମ ସୁବାସିନୀ ବେହେରା ଓ ଜେଏମଏଫସି ଜଜ୍ ମିସେସ ଜରିନ ଖାନଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ/ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଭାରପ୍ରାପ୍ତ ରେଜିଷ୍ଟ୍ରାର କୈଳାଶ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ସମସ୍ତଙ୍କ ସହଯୋଗରେ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।
