ବାରିପଦା : ଆନ୍ତର୍ଜାତିକ ମିଲେଟ୍ ବର୍ଷରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ମିଲେଟ୍ ଗବେଷଣାରେ ଏକ ବଡ଼ ଧରଣର ସଫଳତା ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ଗାର୍ଗୀ ମହାନ୍ତି ଓ ତାଙ୍କର ଚାରିଜଣ ଗବେଷକ ଛାତ୍ରଛାତ୍ରୀମାନଙ୍କ ଗବେଷଣା ଆଧାରରେ ବାଙ୍ଗଲୋରସ୍ଥିତ ସ୍କର୍ଥ ହେଲ୍ଥ୍ କେୟାର ଲିମିଟେଡ୍ ତାର ଉତ୍ପାଦଗୁଡ଼ିକ ବଜାରକୁ ଆସିଛି । ଏହି ଗବେଷଣା ଦ୍ୱାରା ଏହି ମିଲେଟ ଆଧାରିତ ଉତ୍ପାଦ ଗୁଡିକରେ ପୁଷ୍ଟିକର ତତ୍ତ୍ୱ ଓ ରୋଗ ପ୍ରତିରୋଧକ ଉପାଦାନ ଗୁଡ଼ିକର ଅଭିବୃଦ୍ଧି ଘଟିବା ସହ ଯେଭଳି ସମସ୍ତ ବୟସ ବର୍ଗର ଲୋକ ବ୍ୟବହାର କରିପାରିବେ ସେ ଦିଗକୁ ଧ୍ୟାନ ଦିଆଯାଇଅଛି । ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଡଃ ଗାର୍ଗୀଙ୍କୁ ଅଭିବାଦନ ଜଣାଇଛନ୍ତି । ଆନ୍ତର୍ଜାତିକ ମିଲେଟ୍ ବର୍ଷରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଏଭଳି ଏକ ଗବେଷଣାର ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛି ବୋଲି ଖୁସିବ୍ୟକ୍ତ କରିଛନ୍ତି । ଏଭଳି ଶିଳ୍ପ ସହ ସହଭାଗିତା ବିଶ୍ୱବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତିରେ ସହାୟକ ହେବା ସହ ଆଗାମୀ ଦିନରେ ଏ ଦିଗରେ ଗବେଷଣା ଅଧିକ ପରିବ୍ୟାପ୍ତ ହେବ ବୋଲି ସେ ମତପ୍ରକାଶ କରିଛନ୍ତି । ଏନେଇ ଆଜି ବିଶ୍ୱବିଦ୍ୟାଳୟରେ ଏକ ପ୍ରେସ ମିଟ୍ ଆୟୋଜିତ ହୋଇଥିଲା । ସ୍କର୍ଥ ହେଲ୍ଥ୍ କେୟାର ଲିମିଟେଡ୍ର ସିଇଓ ସୁଦର୍ଶନ ପରିଡ଼ା ନିଜ ମନ୍ତବ୍ୟରେ ବିଶ୍ୱବିଦ୍ୟାଳୟ ଓ ସ୍କର୍ଥ ହେଲ୍ଥ୍ କେୟାର ଲିମିଟେଡ୍ ମିଳିତ ସହଭାଗିତାରେ ଉଭୟ ଭାରତୀୟ ଏବଂ ଆନ୍ତର୍ଜାତୀୟ ବଜାର ପାଇଁ ମିଲେଟ ଆଧାରିତ ପୁଷ୍ଟିକର ଉତ୍ପାଦର ବିକାଶ ଓ ଗବେଷଣାକୁ ଆଗେଇ ନେବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ମତପୋଷଣ କରିଥିଲେ ।
