ବାରିପଦା : ମୟୂରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନୂତନ ସଂଶୋଧିତ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ, ସମସ୍ତ ଉପଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହି ତାଲିକା ପ୍ରକାଶିତ କରିଥିଲେ । ପ୍ରକାଶ ଥାଉକି, ସମଗ୍ର ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରୁ ସମୁଦାୟ ୯,୪୮,୨୪୪ ଜଣ ପୁରୁଷ, ୯,୬୪,୭୦୨ଜଣ ମହିଳା ଏବଂ ଏଥି ସହିତ ସମୁଦାୟ ୧୯,୧୩,୦୪୨ଜଣ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଥିଲେ ଯେ, ସମସ୍ତ ପ୍ରକ୍ରିୟାର ସମାପ୍ତି ପରେ ଏହି ତାଲିକା ପ୍ରକାଶ କରାଯାଇଛି । ସମସ୍ତ ଫଟୋ, ସୂଚନା ସଂଶୋଧନ କରାଯାଇ ଏହାକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରକ୍ରିୟା ଚାଲୁ ରହିବ କିନ୍ତୁ ଆଉ କୌଣସି ବ୍ୟକ୍ତିଙ୍କ ନାମ କଟା ଯିବନାହିଁ । ଆଜି ଏହି ପ୍ରକ୍ରିୟାରେ ଜିଲ୍ଲାପାଳ ଏହି ତାଲିକାକୁ ସମସ୍ତ ରାଜନୈତିକ ଦଳ, ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି ଏବଂ ଏହି ତାଲିକା ହିସାବରେ ସମସ୍ତ ବ୍ୟକ୍ତିମାନେ ନିଜ ନିଜ କେନ୍ଦ୍ରରେ ମତଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ପ୍ରକାଶ ଥାଉକି, ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଗତ ନଭେମ୍ବର ମାସ ନଅ ତାରିଖରୁ ଆରମ୍ଭ ହୋଇଥିଲା । ଜନସାଧାରଣଙ୍କ ଠାରୁ ମୋଟ ୮୮,୬୧୨ ସଂଗୃହିତ ହୋଇଥିବା ତଥ୍ୟ ଓ ଆବେଦନ ପତ୍ର ଆଧାର ରେ ଏହି ନୂତନ ଭୋଟର ତାଲିକା ପ୍ରକାଶିତ ହୋଇଛି । ଏହି ୮୮,୬୧୨ ଆବେଦନ ପତ୍ର ମଧ୍ୟରୁ ନୂତନ ଭାବେ ଭୋଟର ତାଲିକାରେ ସଂଯୁକ୍ତ ହେବା ପାଇଁ ୪୪,୦୦୦ ଆବେଦନ ପତ୍ର ଗ୍ରହଣ ହୋଇଥିଲା ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ବ୍ୟତୀତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିରନ୍ତର ଚାଲୁରହିବ ମାତ୍ର ଏହି ଚୂଡାନ୍ତ ତାଲିକା ପ୍ରକାଶନ ପରେ ସଂଶୋଧନ ପାଇଁ ଆବେଦନ ହୋଇଥିବା ମତଦାତାଙ୍କ ନାମ ଭୋଟର ତାଲିକା ଭୁକ୍ତ ନହୋଇ ଏକ ପରିଶିଷ୍ଠ ଭାବେ ଭୋଟର ତାଲିକାରେ ସ୍ଥାନିତ ହେବ ଏବଂ ପରବର୍ତ୍ତୀ ସମୟରେ ଏହା ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବ ବୋଲି ସ୍ପଷ୍ଟ କରିଥିଲେ । ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ(ରାଜସ୍ୱ), ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର ମିସ୍ ସୁଶ୍ରୀତା ଟୁଡୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
