Odisha news

ଶିକ୍ଷକ ଶିକ୍ଷା ସମ୍ବନ୍ଧୀୟ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

0

ବାରିପଦା  : ଶିକ୍ଷା କ୍ଷେତ୍ରରେ ସମୟଭିତ୍ତିକ ପରିବର୍ତ୍ତନ ଆଣିବାକୁ ହେଲେ ଶିକ୍ଷକଙ୍କ ଗୁଣବତ୍ତାରେ ମଧ୍ୟ ତଦନୁଯାୟୀ ପରିବର୍ତ୍ତନ ଆଣିବା ଜରୁରୀ । ସେଥିପାଇଁ ଶିକ୍ଷକ ଶିକ୍ଷା ହିଁ ଉପଯୁକ୍ତ କ୍ଷେତ୍ର ଯେଉଁଠାରେ ଶିକ୍ଷକଟି ଗଢ଼ା ହୁଏ, ପ୍ରସ୍ତୁତ ହୁଏ ଭବିଷ୍ୟତ ଗଠନର ପରିକଳ୍ପନା ଓ ଭିତ୍ତି ପଡେ ଏକ ସମୃଦ୍ଧ ଦେଶର । ଏଭଳି କିଛି ମତାମତ ପ୍ରକାଶ ପାଇଛି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ‘ସ୍ନାତକୋତ୍ତର ଶିକ୍ଷା ଓ ସମନ୍ୱିତ ଶିକ୍ଷକ ଶିକ୍ଷା’ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ଆଲୋଚନା ଚକ୍ରରେ । “ଜାତୀୟ ଶିକ୍ଷାନୀତି-୨୦୨୦ ଦ୍ୱାରା ଶିକ୍ଷକ ଶିକ୍ଷାରେ ପରିବର୍ତ୍ତନ : ସୁଯୋଗ ଓ ଆହ୍ୱାନ’ ବିଷୟ ଭିତ୍ତିକ ଜାତୀୟ ଆଲୋଚନା ଚକ୍ରଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟର ଅନ୍ତରୀଣ ଉନ୍ନୟନ ଯୋଜନା (ଆଇ.ଡ଼ି.ପି.) ନିଦେ୍ର୍ଦଶିକା ପ୍ରଫେସର ଏମ୍. ହିମାବିନ୍ଦୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ରୂପେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ମୁଖ୍ୟବକ୍ତା ରୂପେ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ପ୍ରଫେସର ସମ୍ବିତ କୁମାର ପାଢୀ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସେଥିରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଉପଦେଷ୍ଟା ତଥା ବିଭାଗ ସଂଯୋଜିକା ପ୍ରଫେସର ମିନତୀ ମଲ୍ଲିକ ଆଲୋଚନାଚକ୍ରର ଉଦେ୍ଦଶ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମ ସମ୍ପାଦକ ତଥା ବିଭାଗୀୟ ମୁଖ୍ୟ ଡ଼ଃ ଚକ୍ରଧର ନାୟକ ଅତିଥି ପରିଚୟ ଓ ଯୁଗ୍ମ ସମ୍ପାଦିକା ନିଶିବିଜିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ଅନୁଷ୍ଠିତ ପୃଷ୍ଠଭୂମି ଆଲୋଚନାରେ ବିଷୟ ବିଶାରଦ ଭାବେ ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ଗୌରାଙ୍ଗ ଚରଣ ନନ୍ଦ, ପ୍ରାଧ୍ୟାପକ ଡ଼ଃ ପୁଷ୍ପା ପାତ୍ର, ପ୍ରାଧ୍ୟାପକ ଡ଼ଃ ସମ୍ବିତ କୁମାର ପାଢୀ ଓ ପ୍ରାଧ୍ୟାପକ ଡ଼ଃ ପ୍ରିୟରଞ୍ଜନ ଦାଶ ଅଂଶଗ୍ରହଣ କରି ଆଲୋଚ୍ୟ ବିଷୟର ପ୍ରତିଟି ଦିଗକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗବେଷକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଉକ୍ତ ଆଲୋଚନାଚକ୍ରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତିରିଶରୁ ଅଧିକ ବିଷୟ ଗବେଷକ ନିଜ ନିଜ ଗବେଷଣା ସନ୍ଦର୍ଭ ପାଠ କରିଥିଲେ । ଦୁଇଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅଧ୍ୟାପକ ସ୍ନେହାଶିଷ ମହାନ୍ତି, ଦୀପକ ବେହେରା, ହୃଷୀକେଶ ପାଣିଗ୍ରାହୀ ଓ ସମସୁକ ଅଲ୍ଲୀ ବିଭାଗୀୟ ଛାତ୍ରଛାତ୍ରୀଙ୍କ ସହଯୋଗରେ ସଫଳ ହୋଇଥିଲା ।

Govt
Leave A Reply