Odisha news

ମୟୂରଭଞ୍ଜରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକାଙ୍କ ମିଳିତ ଆନୁକୂଲ୍ୟରେ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କର ଜିଲ୍ଲାସ୍ତରୀୟ ୧୫୪ତମ ଜନ୍ମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆନନ୍ଦ ଏବଂ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରତୁ୍ୟଷରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପରିବେଷଣ ହେବାପରେ ସକାଳ ୭ଘଟିକା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ବାଣୀ ସମ୍ବଳିତ ହିତୋପଦେଶର ପ୍ଲାକାର୍ଡ ଧରି ଏକ ସଚେତନତା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ବାରିପଦା ସ୍ଥିତ ଗାନ୍ଧୀପାର୍କ ଠାରେ ଏକତ୍ରିତ ହୋଇଥିଲେ । ଏହାପରେ ଗାନ୍ଧିଜୀ ପାର୍କ ଠାରେ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ସାମୁହିକ ମାଲ୍ୟାର୍ପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ମାଲ୍ୟାର୍ପଣ କାଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ପୌରପରିଷଦ ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀ ମାନେ ମହାତ୍ମା ଗାନ୍ଧି ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ମାଲ୍ୟାର୍ପଣ କରିଥିଲେ । ଏହାପରେ ଏହି ପାର୍କ ସ୍ଥିତ ପ୍ରାର୍ଥନା ଗୃହରେ ସର୍ବଧର୍ମ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ଡଃ ଭାଗବତ ପ୍ରସାଦ ପଣ୍ଡା ଭଗବଦ ଗୀତାର ନୀତିବାଣୀ ପାଠ କରିଥିବାବେଳେ ରେଭ୍ ସ୍ନେହବାନ୍ ଲିମ୍ବା ବାଇବେଲର କିଛି ଉଦ୍ଧୃତଅଂଶ ପାଠ ସହିତ ମନୁଷ୍ୟ ଜୀବନରେ ବାଇବେଲରେ ଉଲ୍ଲେଖ ଥିବା ମାନବ ଧର୍ମ ଉପରେ ଆଲୋକପାତ କରିଥିଲେ । ଏଥିସହିତ ସର୍ଦ୍ଦାର ହରିଚରଣ ସିଂହ ଗୁରୁ ଗ୍ରନ୍ଥ ସାହେବ୍ ବାଣୀ ପଢିଥିବାବେଳେ ମୌଲାନା ଜାଫର ଅଲ୍ଲୀ କୋରାନର କୀୟଦଂଶ ପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏହାପରେ ଏହି ପବିତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ଏକ ଦିବସୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିବାବେଳେ ଜିଲ୍ଲା ଅଗ୍ନିଶମ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ । ପରିଶେଷରେ ଉଦଳା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଏହି ପବିତ୍ର ଦିବସ ଅବସରରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଗାନ୍ଧୀ ବିଚାର ଓ ଦର୍ଶନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

Leave A Reply