ବାରିପଦା : ବାରିପଦା ବ୍ଲକ ଅନ୍ତର୍ଗତ ବେତନା ପଞ୍ଚାୟତରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜୟନ୍ତୀ ସମାରୋହ ସାରସକଣାର ପୂର୍ବତନ ବିଧାୟକ ଭାଦବ ଚନ୍ଦ୍ର ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୂର୍ଗାଚରଣ ପାତ୍ର ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ଶିକ୍ଷାବିତ୍ ପ୍ରାଧ୍ୟାପକ ଗୋପବନ୍ଧୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ଆଲୋଚନା କାଳରେ ମତପ୍ରକାଶ ପାଇଥିଲା ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ପିଲା ତାର ମାତୃଭାଷାରେ ଶିକ୍ଷା ପାଇବାକୁ ହକ୍ଦାର । ଏହି ଦୃଷ୍ଟିରୁ ଜନଜାତି ଭାଷାଗୁଡିକର ବିକାଶ ହେବା ଅତ୍ୟନ୍ତ ଜରୁରୀ । ତେଣୁ କରି ସାନ୍ତାଳି ଭାଷା ଓ ତାର ଲିପି ଅଲ୍ଚିକିର ମଧ୍ୟ ବିକାଶ ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ । ଶିକ୍ଷା ଆଣେ ବିକାଶ । ତେଣୁକରି ଏହି ସଭାରେ ଶିକ୍ଷାର ବିସ୍ତାର ନିମିତ୍ତ ସମସ୍ତେ ସର୍ବନିମ୍ନ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପାଠ ପଢିବାର ସଂକଳ୍ପ ନେଇଛନ୍ତି । ପ୍ରାରମ୍ଭରେ ବେତନା ଛକରୁ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଏକ ଶୋଭାଯାତ୍ରା ବାହାରି ଡାକୋଇ ଛକରେ ପହଞ୍ଚିଥିଲା ଓ ସେଠାରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ ସଭାରେ ମତବ୍ୟକ୍ତ କରିଥିଲେ ଓ ସମାରୋହକୁ ପରିଚାଳନା କରିଥିଲେ ସେମାନେ ହେଲେ ସାଲାଇ ହେମ୍ବ୍ରମ୍, ଶଙ୍କର ମୁର୍ମୁ, ରଜତ ପାତ୍ର, କରୁଣାକର ହେମ୍ବ୍ରମ, ଜର୍ମାନ୍ ହେମ୍ବ୍ରମ, ରବିନ୍ଦ୍ର ଟୁଡୁ, ବୁଢାନ ମୁର୍ମୁ, ଲାଲ ବିନ୍ଧାଣୀ ଓ ସାର ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ ।