Odisha news

ଓଷ୍ଟା ପକ୍ଷରୁ ଶିକ୍ଷକ ଦାବି ଦିବସ ଉପଲକ୍ଷେ ୧୬ରେ ଭୁବନେଶ୍ୱର ମହାସମାବେଶ ପାଇଁ ପ୍ରସ୍ତୁତି ବୈଠକ

0

ବାରିପଦା  : ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବାରିପଦା ସ୍ଥିତ ପୂର୍ଣ୍ଣଚନ୍ଦ୍ର ସ୍ମୃତି ମାଧ୍ୟମିକ ଶିକ୍ଷକ ଭବନ ସଭାଗୃହରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ସଂଗଠନର ସ୍ଥାୟୀ ସଭାପତି ସନ୍ତୋଷ କୁମାର କାସ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଳତା ଏହି ବୈଠକରେ ଅଦ୍ୟାବଧି ଶିକ୍ଷକଙ୍କ ସମସ୍ୟାଗୁଡିକର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି ବିଷୟରେ ବିଶଦ୍ଭାବେ ବର୍ଣ୍ଣନା କରିଥିଲେ । କେତେକ ଗୁରୁତ୍ୱପୂର୍ଣ୍ଣ ଦାବୀ ବହୁପୂରାତନ ହୋଇଥିଲେ ମଧ୍ୟ ଏବଂ ସରକାରଙ୍କୁ ଏ ବାଦରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସରକାରଙ୍କ ଏସବୁକୁ ପୂରଣ କରିବା ଦିଗରେ ବେପାରୁଆ ମନୋଭାବ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏଥିରେ ସେ ପ୍ରକାଶ କରିଥିଲେ ।

ଏଣୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗଷ୍ଟ ୧୬ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ଶିକ୍ଷକ ଦାବୀ ଦିବସ ପାଳିତ କରାଯିବ । ଏହି ବୈଠକରେ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିବା ଅନୁରପ ଭାବରେ ସପ୍ତମ ବେତନ ପ୍ରଦାନ, ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅବସର ନେଉଥିବା ସମସ୍ତ ବର୍ଗର ଶିକ୍ଷକ-କର୍ମଚାରୀମାନଙ୍କୁ ପୁରୁଣା ପେନ୍ସନ୍ ପ୍ରଦାନ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଶୈକ୍ଷିକ କାର୍ଯ୍ୟକ୍ରମ ବ୍ୟାଘାତ ନହେବା ପାଇଁ ଖୋଲି ପଡିଥିବା ପଦବୀଗୁଡିକରେ ତୁରନ୍ତ ନୂତନ ନିଯୁକ୍ତି ପ୍ରଦାନ, ଅଦ୍ୟାବଧି ଯୋଗ୍ୟ ବିବେଚିତ ଓ ଅନୁଦାନରୁ ବାଦ୍ ପଡିଥିବା ସମସ୍ତ ବିଧାୟଳୟକୁ ଅନୁଦାନ ପ୍ରଦାନ, ୪୮ବର୍ଷ ପୂରଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ତାଲିମ୍ପ୍ରାପ୍ତ ଶିକ୍ଷକ ଭଳି ବେତନ ପ୍ରଦାନ ଆଦି ପ୍ରମୁଖ ଦାବି ସରକାଙ୍କ ଆଗରେ ଉପସ୍ଥାପିତ କରାଯିବାକୁ ସ୍ଥିର କରାଯାଇଥିଲା ।

ଆଗାମୀ ୧୬ତାରିଖ ଦାବୀ ଦିବସରେ ପ୍ରତି ବ୍ଲକରୁ ଶତାଧିକ ଶିକ୍ଷକ-କର୍ମଚାରୀ ରାଜଧାନୀର ପିଏମ୍ଜି ଛକଠାରେ ଏକତ୍ରିତ ହୋଇ ଶିକ୍ଷାକ୍ଷେତ୍ରରେ ଥିବା ସମସ୍ୟାଗୁଡିକ ବିଷୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ମତ ଭାବରେ ସ୍ଥିର କରାଯାଇଥିଲା । ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଭାରତ ଚନ୍ଦ୍ର ବରାଳ, ଉପସଭାପତି ବିଜୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଗୋପୀବଲ୍ଲଭ ଭୂୟାଁ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସମୀର ରଞ୍ଜନ ମାଇତି ଓ ବ୍ଲକ ସମ୍ପାଦକ ଦୟାନିଧି ମହାନ୍ତ, ବିକାଶ କୁମାର ପଣ୍ଡା, ବିକର୍ତ୍ତନ ସାହୁ, ପ୍ରଭାସ ନାୟକ ଓ ପ୍ରଦୀପ ଚନ୍ଦ୍ର ମହାନ୍ତ ପ୍ରମୁଖ ଶିକ୍ଷାକ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ବିଶଦ୍ ଭାବରେ ଆଲୋଚନା କରି ଦାବୀ ଦିବସକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।

Leave A Reply