ବାରିପଦା : ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା ଟ୍ୱିଟର ରେ ଏକ ଲିଖିତ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀରେ ସେ ଲେଖିଥିଲେ ଯଦି ଦ୍ରୌପଦୀ ରାଷ୍ଟ୍ରପତି ତାହାହେଲେ ପାଣ୍ଡବ କିଏ ଏବଂ କୌରବ କେଉଁମାନେ । ଯାହାକୁ ନେଇ ସାରା ଦେଶରେ ଝଡ ସୃଷ୍ଟି ହୋଇଛି । ଏକ ପବ୍ଲିକ ପ୍ଲାଟଫର୍ମରେ ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା, ଜଣେ ଓଡିଆ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ, ଓଡିଶା ବିଧାନସଭାର ପ୍ରାକ୍ତନ ଶ୍ରେଷ୍ଠ ବିଧାୟିକା, ଯିଏକି ଦେଶର ସର୍ବୋଚ୍ଚ ଆସନ ଅଳଂକୃତ କରିବାକୁ ଯାଉଛନ୍ତି ସେହି ମହାନ୍ ମହିୟସୀ ନାରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଜଣେ ଖ୍ୟାତନାମା ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମାଙ୍କ ପାଇଁ କେତେଦୂର ଯଥାର୍ଥ ଅଟେ ।
ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷର ବହ୍ନି ଜଳୁଛି । ଏନେଇ ରାଇରଙ୍ଗପୁର ବିଜେପି ପକ୍ଷରୁ ରାମ ଗୋପାଲ ବର୍ମାଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି ଯେ, ତାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଲିଖିତ ଦାବିପତ୍ର ପ୍ରଦାନ ସମୟରେ ମନୋରଞ୍ଜନ ମହାନ୍ତି, ଇଶାନ୍ ମିଶ୍ର, ମନୋଜ ଦାସ, ଶିବୁ ଅଗ୍ରୱାଲ, ଆଲୋକ ରଞ୍ଜନ ମହାନ୍ତ, ମିଥିଲା ଟୁଡୁ ଓ ଶଶାଙ୍କ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।