ବାରିପଦା: ବାରିପଦା ସହରରେ ଜଣେ ଅନଲାଇନ ଡେଳିଭରି ପିଲାଙ୍କ ଠାରୁ ଅଭିନବ ଉପାୟରେ ଠକେଇ କରାଯିବାର ଅଭିଯୋଗ ହୋଇଛି । ଗତ ୧୭ତାରିଖ ଦିନ ଇନଷ୍ଟାକ ସାର୍ଭିସ ନାମକ ଏକ ଅନଲାଇନ ସଂସ୍ଥାରେ କାର୍ଯ୍ୟ କରୁଥିବା ବିଜୟରାମଚନ୍ଦ୍ରପୁର ଅଞ୍ଚଳର ଦେବବ୍ରତ ପଲେଇ ନାମକ ଜଣେ ୨୯ବର୍ଷୀୟ ଯୁବକ ଦୁଇଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ମନୋଜ କୁମାର ନାୟକ(୫୦) ନାମକ ଜଣେ ବ୍ୟକ୍ତି ଦେବବ୍ରତଙ୍କ ଠାରୁ ୧୦ଟି ପାର୍ସଲ ଗ୍ରହଣ କରି ଅଧଘଣ୍ଟା ପରେ ଦୁଇଟି ପାର୍ସଲର ମୂଲ୍ୟ ୪୨ହଜାର ଟଙ୍କା ପଇଠ କରି ଆଠଟି ପାର୍ସଲ ଫେରାଇ ଦେବାପରେ ପରେ ନେବେ ବୋଲି କହିଥିଲେ । ତେବେ ଦେବବ୍ରତ ଉକ୍ତ ପାର୍ସଲ ଗୁଡିକୁ ଅଫିସରେ ଜମା ଦେବାପରେ ତାଙ୍କୁ ସୂଚନା ଦିଆଯାଇ ଥିଲା ଯେ, ପାର୍ସଲ ଗୁଡିକ ଖୋଲା ଯାଇ ତାମଧ୍ୟରେ ସାବୁନ ରଖାଯାଇଅଛି ।
ଉକ୍ତ ଘଟଣାର ଖବର ମିଳିବା ପରେ ଦେବବ୍ରତ ସେହି ଲୋକଙ୍କୁ ମୋବାଇଲରେ ଯୋଗାଯୋଗ କରିବାରୁ ତାହା ବନ୍ଦଥିଲା । ଏହି ଘଟଣାକୁ ନେଇ ଦେବବ୍ରତ ଟାଉନଥାନାରେ ଏକ ମାମଲା ରୁଜୁ କରିଥିବାବେଳେ ୮ଟି ପାର୍ସଲରେ ଥିବା ଜିନିଷର ମୂଲ୍ୟ ୨ଲକ୍ଷ୮୮ହଜାର ଟଙ୍କା ହେବ ବୋଲି ଦର୍ଶାଯାଇଛି । ତେବେ ଏହଠାରେ ପ୍ରଶ୍ନ ଉଠେ ଯେ, କେଉଁ ପରିସ୍ଥିତିରେ ଦେବବ୍ରତ ଟଙ୍କା ପଇଠ ନହେବା ପୂର୍ବରୁ ଉକ୍ତ ଜିନିଷ ଗୁଡିକୁ ଦେଇଥିଲେ ତାହା ତଦନ୍ତ ସାପେକ୍ଷ । ଏନେଇ ବାରିପଦା ଟାଉନଥାନା ଦୁଇଜଣଙ୍କୁ ଅଟକ ରଖି ଘଟଣାର ଖୋଲତାଡ କରୁଛି ।