Odisha news

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଦିନେଶ କୁମାର ସେଠୀ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଗୋଟିଏ ରଶିର ଦୁଇ ମୁଣ୍ଡକୁ ବେକରେ ଫାଶି ଲଗାଇ ଏକ ମହୁଲ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳ ଠାରେ। ପ୍ରେମୀଯୁଗଳଙ୍କ ନିଜସ୍ଵ ଗ୍ରାମ ଗାଁଅମରର୍ଦ୍ଦା ପଞ୍ଚାୟତ କଣ୍ଟାବଣିଆ ବୋଲି ଜଣାପଡିଛି। ପ୍ରେମୀଯୁଗଳ ହେଲେ ବାଉଳା ସିଂ ଓ ସୀମା ସିଂ। ଉଭୟ ଉଭୟଙ୍କୁ ଭଲ ପାଉଥିଲେ। ସାଙ୍ଗ ହୋଇ ବଞ୍ଚିବା ମରିବାର ପଣ ନେଇ ବିବାହ କରିବାର ଶପଥ ମଧ୍ୟ ନେଇଥିଲେ। ହେଲେ ମଝିରେ ପାଚେରୀ ହୋଇ ମୁଣ୍ଡ ଟେକିଲେ ଉଭୟଙ୍କ ପରିବାର। ଉଭୟ ପରିବାର ଭୁଲିଗଲେ ପ୍ରେମଅନ୍ଧ। ପ୍ରେମ ମାନେନି କିଛି ବି ପ୍ରତିବନ୍ଧକ। ପ୍ରେମ ଆଗରେ ତୁଚ୍ଛ ହୋଇଯାଏ ଜାତି,ଗୋତ୍ର,ଧନୀ,ଗରିବର ତାରତମ୍ୟ। ଆଉ ଏମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଲା ସମାନ ଘଟଣା। ବୁଝିବି ଅବୁଝା ପାଲଟିଲେ ଉଭୟଙ୍କ ପରିବାର। ଗତକାଲି ରାତିରେ ପ୍ରେମୀ ଯୁଗଳଙ୍କୁ ନେଇ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ଯାହା ପ୍ରେମୀଯୁଗଳଙ୍କ ପାଇଁ ଅକାଳିଆ ପରିସ୍ଥିତି ସୃଷ୍ଟି କରିବା ସହିତ ଉଭୟଙ୍କୁ ମାନସିକ ଚାପରେ ପକାଇଥିଲା। ଫଳରେ ବିବାହ କରି ସଂସାର କରିବାର ଆଶା ମଉଳି ଯାଇ ବିଚ୍ଛେଦର ଦୃଶ୍ୟ ଆଖି ଆଗରେ ଭାସି ଯାଉଥିବାରୁ ବିଷାଦଗ୍ରସ୍ତ ହେବା ସହ ମାନସିକ ଚାପରେ ଭାରାକ୍ରାନ୍ତ ହୋଇପଡ଼ି ସାଙ୍ଗରେ ମରିବାର ଚରମ ସିଦ୍ଧାନ୍ତ ନେଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ସ୍ଥାନୀୟ ଧାନଶୋଳ ଗ୍ରାମର ଲୋକମାନେ ସକାଳେ ନିଜ ନିଜର ନିତ୍ୟକର୍ମ ପାଇଁ ପଦାକୁ ଆସୁଥିବା ବେଳେ ଏହି ଆଭାବନୀୟ ଦୃଶ୍ୟ ଦେଖିବାକୁ ପାଇଥିଲେ। ନିକଟରେ ଥିବା ମହୁଲ ଗଛର ଗୋଟିଏ ଡାଳରେ ପ୍ରେମୀଯୁଗଳ ଗୋଟିଏ ଦଉଡି଼ ର ଉଭୟ ମୁଣ୍ଡକୁନେଇ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରି ଝୁଲନ୍ତା ମୃତଦେହକୁ ଦେଖି ରାସଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ। ତେବେ ମୃତ୍ୟୁ ପୂର୍ବରୁ ପ୍ରେମୀଯୁଗଳ ଗଛ ମୂଳରେ ମା’ତାରିଣୀଙ୍କର ଏକ ଫୋଟୋ ରଖି ପୂଜା କରିଥିବା ଅନୁମାନ କରାଯାଉଛି। ଖବରପାଇ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡ଼ିଛି।

Comments are closed.