Odisha news

ବାରିପଦା ସହରରେ ଦୁଇଗୋଷ୍ଠୀ ମୁହାଁମୁହିଁ : ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର, ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ରାଜପଥ ଅବରୋଧ

0

ବାରିପଦା : ବାରିପଦା ସହରର ତକତପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଦୁଇଗୋଷ୍ଠୀ ମଧ୍ୟରେ ଥିବା ପୂର୍ବଶତ୍ରୁତା ଉଗ୍ରରୂପ ନେଇଛି । ଦୁଇଗୋଷ୍ଠୀ ମୁହାଁମୁହିଁ ହେବାପରେ ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ତକତପୁର ଅଞ୍ଚଳରେ ଥିବା ୧୮ନମ୍ବର ଜାତୀୟ ରାଜପଥକୁ ବହୁଘଣ୍ଟା ଧରି ଅବରୋଧ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ରାଣୀବନ୍ଧ ନିକଟସ୍ଥ କାଳିଆ ଛକଠାରେ ଥିବା କୁକୁଡାପଡାରେ ୧୩ତାରିଖରେ କୌଣସି ଘଟଣାକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାତ୍ର ଏନେଇ ଦୁଇଗୋଷ୍ଠୀ ମଧ୍ୟରେ କୌଣସି ସମାଧାନ ବାଟ ବାହାରିପାରିନଥିଲା । ଗୁରୁବାର ଅପରାହ୍ନରେ ଗୋଟିଏ ଗୋଷ୍ଠୀ ମୟୂରଭଞ୍ଜ ଏସପିଙ୍କୁ ଭେଟି ଗଣ୍ଡଗୋଳ ସମ୍ପର୍କରେ ଜଣାଇବାକୁ ଯାଉଥିବାବେଳେ ଅନ୍ୟଗୋଷ୍ଠୀଟି ଅତର୍କୀତ ଆକ୍ରମଣ କରିଥିଲା । ଫଳରେ ତକତପୁର ଅଞ୍ଚଳର ବିଦୁ କିସ୍କୁ ଓ ମାଟୁ ମାରାଣ୍ଡି ଗୁରୁତର ଆହତ ହୋଇଥିଲେ । ଅପରପକ୍ଷରେ ଆକ୍ରମଣ କରିଥିବା ଗୋଷ୍ଠୀର ଜଣଙ୍କୁ ଧରି ସ୍ଥାନୀୟ ଲୋକମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏହି ଘଟଣା ଘଟିବା ପରେ ବାରିପଦା ସହରର ତକତପୁର ରାଣୀବନ୍ଧ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଅସମାଜିକ ଯୁବକ ମାରଣାସ୍ତ୍ର ଧରି ଉକ୍ତ ଅଞ୍ଚଳରେ ପଇଁତରା ମାରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ଅପରପକ୍ଷରେ ଅତର୍କୀତ ଆକ୍ରମଣ କରିଥିବା ଗୋଷ୍ଠୀର ଅସମାଜିକ ଯୁବକମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ବହୁ ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଗଣ୍ଡଗୋଳ ଘଟାଇଥିବା ଆକ୍ରମଣକାରୀମାନଙ୍କୁ ଗିରଫ କରାଯିବ ବୋଲିି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ବାରିପଦା ଟାଉନଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ ଚାଲିଛି ।

Leave A Reply

Your email address will not be published.