ବାରିପଦା : ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ଦସ୍ତଖତକୁ ଜାଲ୍ କରି ଏମପି-ଲେଡ୍ ଫଣ୍ଡ ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ସମିତି ସଭ୍ୟଙ୍କ ସହ ଦୁଇଜଣ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ଗ୍ରାମପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ ହେମନ୍ତ କୁମାର ସୋରେନ୍(୩୭) ଲୋକସଭା ସାଂସଦ ଶ୍ରୀଟୁଡୁଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ କରନ୍ତି ।
ମାତ୍ର ଶ୍ରୀଟୁଡୁଙ୍କ ବିଶ୍ୱାସକୁ ନେଇ ତାଙ୍କ ନାମରେ ଜାଲ୍ ଦସ୍ତଖତ କରିବାସହ ଏମପି-ଲେଡ୍ ଫଣ୍ଡ କାମ ଦେବା କହି ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାରିପଦା ସହର ୱ୍ାର୍ଡନମ୍ବର ୧୨ ଅଞ୍ଚଳର ଶୈଳେସ କୁମାର ଗିରି(୩୦) ସାଂସଦଙ୍କ ଜାଲ୍ ଦସ୍ତଖତ ବିନିମୟରେ ବାରିପଦା ଆଇଟିଡିଏ ବିଭାଗରେ ଏମପି-ଲେଡ୍ ଫଣ୍ଡରୁ ଜାଲ୍ କାମ କରୁଥିବାରୁ ଧରାପଡିଛନ୍ତି । ଏନେଇ ସାଂସଦଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନଥାନାରେ ୪୨୦, ୪୬୭,୪୬୮, ୪୭୧ ଓ ୩୪ ଆଇପିସି ଧାରାରେ ୫୭୨/୨୦ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ହେମନ୍ତ ଓ ଶୈଳେସଙ୍କୁ ଗିରଫ କରାଯାଇଛି ।