ବାରିପଦା : ଭାରତ-ଚୀନ୍ ସୀମା ଲଦାଖ ଉପତ୍ୟକାରେ ଉଭୟ ଦେଶର ସେନା ମଧ୍ୟରେ ଲଢେଇରେ ସହିଦ୍ ହୋଇଛନ୍ତି ମୟୂରଭଞ୍ଜ ବୀର ସନ୍ତାନ ନନ୍ଦୁରାମ ସୋରେନ୍ । ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ(୪୩) । ମଙ୍ଗଳବାର ରାତିରେ ଚୀନ୍ ସୈନିକ ସହ ଲଢେଇରେ ମୃତୁ୍ୟ ହୋଇଛି । ବିହାର ରେଜିମେଣ୍ଟର ୧୬ ବାଟାଲିୟନରେ ଲେଫ୍ଟେନେଣ୍ଟ ସୁବେଦାର ଭାବେ କାର୍ଯ୍ୟରତ ନନ୍ଦୁରାମ ୨୩ବର୍ଷ ଧରି କାର୍ଯ୍ୟରେ ଥିଲେ । ସ୍ତ୍ରୀ ଲକ୍ଷ୍ମୀମଣୀ ତାଙ୍କର ୩ଟି ଝିଅ ଜ୍ଞାନେଶ୍ୱରୀ, ମାନେଶ୍ୱରୀ ଓ ସୋନାଲିଙ୍କୁ ନେଇ ରାଇରଙ୍ଗପୁର ସହର ଇଚିଣ୍ଡାରେ ଏକ ଭଡାଘରେ ରହୁଥିଲେ । ସ୍ଥାନୀୟ କେରଳା ପବ୍ଲିକ ସ୍କୁଲର ନବମ, ଷଷ୍ଠ ଓ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ତିନି ଝିଅ । ସହିଦ୍ଙ୍କ ପୈତୃକ ଗ୍ରାମ ବଡଚମ୍ପାଉଦା ଗ୍ରାମରେ ଶୋକରଛାୟା ଖେଳିଯାଇଛି ।
ଇଚିଣ୍ଡାରେ ରହୁଥିବା ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ଉଠୁଛିପଡୁଛି । କୋରନା ଲକ୍ଡାଉନ୍ ପୂର୍ବରୁ ନନ୍ଦୁରାମ ବଡଭାଇଙ୍କ ଶୁଦ୍ଧିକି୍ରୟାରେ ଆସିବା ସହ ପରିବାର ଲୋକଙ୍କ ସହ ଲମ୍ବା ଛୁଟି କାଟି ଯାଇଥିଲେ । ତିନିଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ବେଶ ସଚେତନ ଥିବାରୁ ରାଇରଙ୍ଗପୁରରେ ରଖି ପାଠ ପଢାଉଥିଲେ ଏବଂ ପରିବାର ସହିତ ବାହାରରେ ବୁଲାବୁଲି କରିବାକୁ ମଧ୍ୟ ସେ ଭଲ ପାଉଥିଲେ । ଗ୍ରାମରେ ତାଙ୍କର ଚାରି ଭାଇଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତୁ୍ୟ ହୋଇଯାଇଛି । ଚମ୍ପାଉଦା ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ପରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାଇରଙ୍ଗପୁର କଲେଜରେ ପଢିବାପରେ ସେନା ବାହିନୀରେ ଯୋଗଦେଇଥିଲେ । ଏନେଇ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଏବଂ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ମୃତକଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ସହିଦ୍ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପାଇଁ ରାଜସରାକାରଙ୍କ ପାଖରେ ବିଧାୟକ ଦାବି କରିଛନ୍ତି ।