ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କେଉଟୁଣୀମାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦରିଆଶୋଳ ଗ୍ରାମର ଏକ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶାଇ ଦେବାକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଦୀର୍ଘ ସମୟ ଧରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ଏକ କୋଠରୀ ଭିତରେ ଭର୍ତ୍ତି କରି ବାହାରୁ ତାଲା ପକାଇ ଅଟକ ରଖିଥିଲେ । ଉକ୍ତ ଘଟଣା ସମ୍ପର୍କରେ ଚାନ୍ଦୁଆ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଟକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟ କୋଠରୀ ଭିତରୁ ମୁକ୍ତ କରାଇଥିଲେ । ଏହି ସମୟରେ ପୋଲିସ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ଉକ୍ତ ଗ୍ରାମର ୬ଜଣ ଯୁବକଙ୍କୁ ଥାନାକୁ ଧରି ନେଇଯାଇଥିଲା ।
ପରବର୍ତ୍ତୀ ସମୟରେ ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦ ଅଟକ ଶିକ୍ଷୟ ଓ ଶିକ୍ଷୟିତ୍ରୀମାନଙ୍କୁ ସାଙ୍ଗରେ ଧରି ଫେରୁଥିବା ସମୟରେ ରାସ୍ତାରେ ଗ୍ରାମବାସୀମାନେ ୩ଟି ପୋଲିସଗାଡିକୁ ଅଟକ ରଖିଥିଲେ ଓ ରାଜରାସ୍ତାରେ ଧାରଣାରେ ବସିଥିଲେ । କୁଳିଅଣା ବ୍ଲକ ଏବିଓ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା କାରଣରୁ ବଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉଥିବାର ଦର୍ଶାଇଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା ଅନୁସାରେ ୧୯୯୭ ମସିହା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ଜମ୍ଭୀରାବନ୍ଧ ନିର୍ମାଣ ସମୟରେ ଦରିଆଶୋଳ ଗ୍ରାମକୁ ବିସ୍ଥାପିତ କରାଯାଇଥିବା ସମୟରେ ଉକ୍ତ ବିଦ୍ୟାଳୟକୁ ଦରିଆଶୋଳ ଗ୍ରାମବାସୀ ରହୁଥିବା ସ୍ଥାନକୁ ବିସ୍ଥାପିତ କରାନଯିବାରୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି । ତେବେ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଗ୍ରାମବାସୀମାନଙ୍କୁ ତୁରନ୍ତ ନିସର୍ତ୍ତରେ ଛାଡିଦେବା ସାଙ୍ଗକୁ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦାବିରେ ପୋଲିସ ଗାଡିକୁ ଅଟକ ରଖାଯାଇଥିଲା ।
