Odisha news

ବରଗଡରେ ବବି ଦାସଙ୍କ ଗୁପ୍ତ ବୈଠକ : ରାଜନୈତିକ ମହଲକରେ ଚର୍ଚ୍ଚା

ବରଗଡ଼ : ବରଗଡ଼ଠାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଗୁପ୍ତ ବୈଠକ କରିଛନ୍ତି। ଏଥିରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ ଉପସ୍ଥିତ ଥିଲେ। କିଛି ବଛାବଛା ଦଳୀୟ ନେତାଙ୍କୁ ମଧ୍ୟ ଏଠିକୁ ଡକାଯାଇଥିଲା।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂରେ ବିକାଶ ହସ୍ପିଟାଲରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ଶୁଭାରମ୍ଭ କରିଥିଲେ। ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାକୁ ଫୋକସ୍‌ରେ ରଖାଯିବ ବୋଲି କହିଥିଲେ। ଯାହା ପଶ୍ଚିମ ଓଡ଼ିଶାରେ ରାଜନୈତିକ ବାତାବରଣକୁ ଗରମ କରିଥିଲା। ଏହି ଉତ୍ସବର ଦିନକ ପରେ ବବି ଦାସ ବରଗଡ଼ ଆସି ଗୁପ୍ତ ବୈଠକ କରିବା ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ସମ୍ଭବତଃ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ବିଜେଡି ଗୁରୁତ୍ବର ସହ ଗ୍ରହଣ କରିଛି। ତେଣୁ ଆଗାମୀ ଦିନରେ ବରଗଡ଼ ପାଇଁ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଏକ ବଡ଼ ଘୋଷଣା ହେବା ସମ୍ଭାବନା ରହିଛି। ଭିତିରିଆ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବୈଠକରେ ଶ୍ରୀ ଦାସଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ଟି ଆଇସିୟୁ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି।

ଏହାବାଦ୍‌ ସ୍ଥାୟୀ ସିଟି ସ୍କାନ୍‌ ମେସିନ୍‌ ଯୋଗାଇବା ସହ କରୋନା ସ୍ଥିତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ଟିମ୍‌ ପଠାଇବାକୁ ଜନପ୍ରତିନିଧି ମାନେ ଦାବି କରିଛନ୍ତି। ଜିଲ୍ଲାର କିଛି ଘରୋଇ ହସ୍ପିଟାଲକୁ ନିଜ ନିୟନ୍ତ୍ରଣକୁ ଆଣି ରାଜ୍ୟ ସରକାର ମାଗଣା କୋଭିଡ୍‌ ଚିକିତ୍ସା ସେବା ଯୋଗାଇବାକୁ ମଧ୍ୟ ଚର୍ଚ୍ଚା ହୋଇଥିବା ଶୁଣିବାକୁ ମିଳୁଛି। ଏଥିରେ ବିକାଶ ହସ୍ପିଟାଲର ନାମ ମଧ୍ୟ ଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ରବିବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବରଗଡ଼ ଆସିବା ସମ୍ଭାବନା ରହିଛି। ତେବେ ଏହି ବୈଠକ କେବଳ କୋଭିଡ୍‌ ପରିଚାଳନା ଆଧାରିତ ଥିଲା, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗାମୀ ରଣନୀତିକୁ ଚେ‌କ୍‌ମେଟ୍‌ ଦେବାକୁ ପ୍ରସ୍ତୁତି ଥିଲା, ତାକୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.