Odisha news

ପାନୀୟ ଜଳର ଉତ୍କଟ ଅଭାବ, ଲୋକେ ଡହଳ ବିକଳ

0

ବାଲିପାଟଣା: ୧୩/୦୫ : ରଜ୍ୟ ସରକାର ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯୁଦ୍ଧ କାଳୀନ ଭିତ୍ତିରେ ଭାଙ୍ଗି ରୁଜି ଯାଇଥିବା ନଳ କୂପ ଓ ଜଳ ଯୋଗାଣ ପ୍ରକଳ୍ପକୁ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଅହରହ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ସୋଲାର ପ୍ୟାନେଲ ସହାୟତାରେ କିପରି ପାନୀୟ ଜଳ ଯୋଗାଇ ଦିଆଯିବ,ସେଥିପାଇଁ ବ୍ଲକ ସ୍ତରରେ ମୋବାଇଲ୍ ଟ୍ୟାଙ୍କର ବ୍ୟବସ୍ତା ମଧ୍ୟ କରାଯାଇଛି । ଏହା ସତ୍ତ୍ୱେ ସରକାରଙ୍କ ଯୋଜନା ସଫଳ ରୂପାୟନ କରିବାରେ ବାଧକ ସାଜିଛନ୍ତି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ।ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍ ବିଭାଗର ଅପାରଗତାରୁ ଆଜକୁ ଏକ ସପ୍ତାହ ହେବା ମୁନ୍ଦେ ପିଇବା ପାଣି ପାଇ ପାରୁ ନାହାଁନ୍ତି କୁରୁଞ୍ଜୀପୂର୍ ଗ୍ରାମ ପଂଚାୟତର ଓରିଶୋ ଗ୍ରାମବାସୀ । ସୂଚନା ଅନୁଯାୟୀ  ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ପଞ୍ଚାୟତର ବସନ୍ତମାଳ ଓରିଶ ଠାରେ ଆଜକୁ ୬ ଦିନ ହେଲା ଅଚଳ ହୋଇ ପଡ଼ିଛି ଜଳଯୋଗାଣ ବ୍ୟବସ୍ଥା ।

ବସନ୍ତମାଳ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବସିଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଗତ ୭ ତାରିଖରୁ ପୋଡ଼ିଯିବାରୁ ଏପରି ସମସ୍ୟା ଦେଖା ଦେଇଛି।ଏହି ପ୍ରକଳ୍ପଟି ବାଲିପାଟଣା ବ୍ଲକ ଅଧୀନରେ ଥିବା ବେଳେ ଲାଇନ ସଂଯୋଗ ନିମାପଡ଼ା ବିଦ୍ୟୁତ ବିଭାଗ ଅଧୀନରେ ଅଛି। ବକେୟା ବିଲ ପଇଠ ନ ହୋଇଥିବା କାରଣରୁ ଟ୍ରାନ୍ସଫର୍ମର ବସିବାରେ ବିଳମ୍ୱ ହେଉଥିବା ଶୁଣିବାକୁ ମିଳିଛି । ଏ ସଂପର୍କରେ ପଂଚାୟତ ପିଇଓ  ସନ୍ତୋଷ କୁମାର ଦାସଙ୍କୁ ପଚାରିବାରୁ ସେ କୁହନ୍ତି, ପଂଚାୟତ ଉପରେ ବାକି ଥିବା ବିଲ୍,ଭୁଲ ରହିଛି, ବିଦ୍ୟୁତ୍ ବିତରକ ସଂସ୍ଥାର ବିଲ୍ ସହ ଆମ ବିଲ୍ ତାଳମେଳ ନାହିଁ, ପଂଚାୟତର ଖୁବ୍ କମ୍ ଟଙ୍କା ବାକି ରହିଛି ।   ସମସ୍ତ ବିଲ୍ ଓ ରସିଦ ନେ଼ଇ ନିମାପଡ଼ା ଡିଭିଜନ ସହ ସରପଞ୍ଚ  ଆଜି କଥା ହୋଇଛନ୍ତି। କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବିଦ୍ୟୁତ୍ ବିତରକ ସଂସ୍ଥା ଜିଦିରେ ଅଟଳ, ବିଲ୍ ନ ଦେଲେ ବିଦ୍ୟୁତ୍ ସଂଯୋଗ ହେବନି । ଫଳରେ ସ୍ଥାନୀୟ ଅଞ୍ଚଳର ୪ଟି ୱାର୍ଡ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଓରିସ , ଓଡ଼ଖଣ୍ଡ , ବସନ୍ତମାଳ , ନାଗଶେଣି , ଦଳିତ ସାହି ଓ ନାୟକ ସାହିର ପ୍ରାୟ ୩ ହଜାର ଜନସାଧାରଣ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ୪ ୱାଡରେ ୨୧ ନଳକୂପ ବସିଛି, ସେଥିମଧ୍ୟରୁ ୨ଟି ଅଚଳ ଅବସ୍ଥାରେ ରହିଥିବା ବେଳେ ୧୯ ଟିରୁ ୧୪ ଟୀରୁ ଆଇରନ୍  ଯୁକ୍ତ ପାଣି ବାହାରୁଛି।ବସନ୍ତମାଳ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ନଳ କୂପ ବ୍ୟବହାର ନ ହେବାରୁ ତାହା ଏବେ ଅଚଳ ହୋଇ ପଡ଼ିଛି ।  ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ଯେଉଁଠି ନଳକୂପରୁ ପାଣି ବାହାରୁଛି, ତାହା ଲୌହମିଶ୍ରିତ ଯୋଗୁଁ ବ୍ୟବହାର ଅନୁପଯୋଗୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ଗ୍ରାମ୍ୟ ଜଳ ଯୋଗାଣ,ଯନ୍ତ୍ରୀ ରଞ୍ଜନ କୁମାର୍ ଘଡେ଼ଇଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ପଂଚାୟତ ସରପଞ୍ଚଙ୍କୁ କୁହାଯାଇଛି ଅସ୍ଥାୟୀ ରୂପେ ପିଇବା ପାଣି ଯୋଗାଇ ଦିଆଯିବ।ଅଭିଯୋଗ ପରେ ପଞ୍ଚାୟତ ତରଫରୁ ଲୋକମାନଙ୍କୁ ପାଣି ଯୋଗାଇ ଦିଆ ଯାଉଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଲୋକେ ଅଭିଯୋଗ କରିଛନ୍ତି | ତୁରନ୍ତ ଏହି ସମସ୍ୟାରେ ସମାଧାନ ପୂର୍ବକ ଉପୋରକ୍ତ ସ୍ଥାନ ଗୁଡ଼ିକୁ ପାନୀୟ ଜଳ ଯୋଗାଇବାକୁ ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ଅନୁରୋଧ କରିଛନ୍ତି  |

Leave A Reply