ବାଲିପାଟଣା ୨୦/୦୯ : ଚାରି ଝିଅଙ୍କ ସହ ପତିପତ୍ନୀ ଦୁଃଖ କଷ୍ଟେ ପରିବାର ଭରଣ ପୋଷଣ କରୁଥିଲେ। ହେଲେ ଭଗବାନ ସହିଲେନି ବୋଝ ଉପରେ ନଳିତା ବିଡା ପରି ଦୁଃଖ ମାଡି ଆସିଲା। ବ୍ରେନ ଷ୍ଟ୍ରୋକରେ ଅଧାବାଟରେ ଛାଡି ଚାଲିଗଲେ ସ୍ଵାମୀ । ପରିବାର ଖର୍ଚ୍ଚ ସାଙ୍ଗକୁ ତିନି ଝିଅଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ ମା । ଆର୍ଥିକ ଅଭାବ ପାଇଁ କୁନି ଝିଅର ପାଠ ପଢା ଅନିଶ୍ଚିତତା ମଧ୍ୟରେ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ବାଗଲପୂର୍ ଗ୍ରାମର ସୁଶୀଳା ଦାସ (୪୮) ଙ୍କ ଠାରେ। ପରିବାର କହିଲେ ଚାରି ଝିଅ ମଧ୍ୟରୁ ବଡ଼ ଝିଅ ର ବିବାହ ହୋଇଥିବାବେଳେ ତିନି ଝିଅଙ୍କୁ ନେଇ ବଡ଼ ଦୁଃଖ କଷ୍ଟରେ ବିତୁଛି ସୁଶୀଳାଙ୍କ ଜୀବନ । ଚଳିତ ବର୍ଷ ଜାନୁଆରୀ ମାସରେ ସ୍ଵାମୀ ଦୁର୍ଯ୍ୟଧନ ଦାସ (୫୪)ଙ୍କ ବ୍ରେନ୍ ଷ୍ଟ୍ରୋକ ରେ ଦେହାନ୍ତ ହେବା ପରେ ପରିବାରର ବୋଝକୁ ସୁଶୀଳା ବାହନ କରିଥିଲେ । ଏକ ବେସରକାରୀ କମ୍ପାନୀରେ ଚାକିରି କରିଥିବା ଦୁର୍ଯ୍ୟୋଧନ ୧୦ ବର୍ଷ ପୂର୍ବରୁ ଛଟେଇ ହୋଇ ଘରେ ବେକାର ବସିଥିବା ବେଳେ ରୋଜଗାର ହରାଇ ଚିନ୍ତାରେ ରୋଗାକ୍ରାନ୍ତ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏବେ ରୋଜଗାରର କୌଣସି ମାଧ୍ୟମ ନଥିବା ଏହି ପରିବାର ପାଇଁ ରାସନ୍ କାର୍ଡରେ ମିଳୁଥିବା ସାମଗ୍ରୀ ଉପରେ ଭରସା କରିବାକୁ ପଡୁଛି । ବିଶେଷ କିଛି ଜମିବାଡି ନଥିବା ଏହି ପରିବାରକୁ ଆଜି ପର୍ଯ୍ୟନ୍ତ ଘର୍ ଖଣ୍ଡିଏ ମଧ୍ୟ ମିଳିପାରିନାହିଁ । ବର୍ତମାନ ଦୁଇ ଝିଅଙ୍କର ବିବାହ ବୟସ ହୋଇଯାଇଥିଲେ ମଧ୍ୟ ଆର୍ଥିକ ଅଭାବ ସାଜିଛି ବାଧକ । ତିନି ଝିଅଙ୍କ ମଧ୍ୟରୁ ମାମାଲି ଦାସ (୨୪) ଗ୍ରାଜୂଏସନ୍ କରିଥିବା ବେଳେ ସୋନାଲି ଦାସ(୨୦) ପରିବାରର ଆର୍ଥିକ ପରିସ୍ଥିତି ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ପାଠ ପଢାରେ ଡୋରି ବାନ୍ଧିଛନ୍ତି । ଏବେ ଉଭୟ ମାମାଲୀ ଏବଂ ସୋନାଲି ସେମାନଙ୍କ ବିବାହିତ ବଡ ଭଉଣୀ ମାନୁ ପାଖରେ ରହୁଥିବା ବେଳେ ଘରେ କେବଳ ସାନ ଝିଅ ସାଇ ସାନଭି ଦାସ (୫) ସହିତ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ସୁଶୀଳାଙ୍କ ସମୟ ବିତୁଛି । ଏବେ ସାନ ଝିଅ ନିକଟସ୍ଥ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିବା ବେଳେ ଏପରି ଅଭାବନୀୟ ପରିସ୍ଥିତି ମଧ୍ୟରେ ସରକାରଙ୍କ ଆଶୀର୍ବାଦ ଯୋଜନାରେ ତାକୁ ସାମିଲ କରାଗଲେ ଏହି କୁନି ଝିଅଟିର ପାଠ ପଢାରେ ସହାୟକ ହୋଇପାରନ୍ତା ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି ।