Odisha news

କିରିକୁଟି ବିଦ୍ୟାଳୟରେ ବଢୁଛି ସମସ୍ୟା

0

ବାଲିଗୁଡା,30/1.କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ସମସ୍ୟା ବଢ଼ୁଛି। କିରିକୁଟି ଗ୍ରାମ ମଧ୍ୟରେ ଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଅଭାବ ରହିଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ କିରିକୁଟିଠାରୁ ପ୍ରାୟ ଦେଢ଼ କି.ମି. ଦୂର ଏକ ଜଙ୍ଗଲ ନିକଟରେ କୋଠା ନିର୍ମାଣ ହୋଇଛି। ସେଠାରେ ଶିକ୍ଷକ ଅଭାବ ରହିଛନ୍ତି। ଏଭଳି ସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ସେଠାକୁ ନିଆଯାଇ ପାଠ ପଢ଼ାଯାଉଛି l  ଯାହା ଫଳରେ ପ୍ରାଥମିକ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପଢ଼ାଇବାକୁ ପଡ଼ୁଛି। ଅନ୍ୟପକ୍ଷରେ ହଷ୍ଟେଲରେ ରହୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ୪୦ ଛାତ୍ର ୫୯ ନଂ ଜାତୀୟ ରାଜପଥ ଉପରେ ପ୍ରାୟ ଦେଢ଼ କି.ମି. ବିପଦସଙ୍କୁଳ ଅବସ୍ଥାରେ ହାଇସ୍କୁଲ କୋଠାକୁ ଯାତାୟାତ କରୁଛନ୍ତି। ଉକ୍ତ ରାଜପଥରେ ଶତାଧିକ ଗାଡ଼ି ମୋଟର ଦ୍ରୁତଗତିରେ ଯାତାୟାତ କରୁଛି l  ବିଭିନ୍ନ ସମୟରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା ବହୁ ନଜିର ରହିଛି। ଏ ନେଇ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବା କୌଶିକ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଗୋଟିଏ ପଟେ ହାଇସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନ୍ୟପଟେ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଅଭାବ। ତେଣୁ ପରିଚାଳନା କମିଟି ସହ ଆଲୋଚନା କରି ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଗୋଟିଏ ବିଦ୍ୟାଳୟରେ ବସାଇ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି l  ଜିଲା ଶିକ୍ଷାଧିକାରୀ ଏବଂ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଯାଇ ଏଭଳି କରାଯାଇଛି। ଶିକ୍ଷକ ଅଭାବରୁ ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଚିନ୍ତା ବଢ଼ୁଥିବା ସେ କହିଛନ୍ତି। ସେହିପରି ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନ କହିଛନ୍ତି, ଯେଉଁଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହାଇସ୍କୁଲ କରାଯାଇଛି, ସେଠି ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲା ଗୋଟିଏ ବିଦ୍ୟାଳୟରେ ପଢ଼ିବେ। ତେଣୁ କିରିକୁଟି ବିଦ୍ୟାଳୟର ସମସ୍ତ ଶ୍ରେଣୀର ଛାତ୍ରୀଛାତ୍ର ନୂତନ ବିଲ୍ଡିଂକୁ ଯାଇ ପାଠ ପଢ଼ୁଛନ୍ତି । ଏଥିରେ କୌଣସି ସମସ୍ୟା ନାହିଁ। ଯାତାୟାତ ରେ ମଧ୍ୟ କୌଣସି ସମସ୍ୟା ନ ଥିବା ବିଷୟ ସେ କହିଛନ୍ତି।

Leave A Reply