Odisha news

୬୨ ବର୍ଷରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା ! ସରକାରୀ ସହାୟତା ଅପେକ୍ଷାରେ ଅସହାୟ ବିଶ୍ୱାମିତ୍ର, ପଞ୍ଚାୟତରୁ ବ୍ଲକ୍ ଯାଏଁ ଦୌଡ଼ି ନିରାଶ

0
ବାଲିଗୁଡ଼ା, ୨୮/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ବୟସର ଅପରାହ୍ନରେ ସରକାରୀ ସହାୟତା ଟିକିଏ ପାଇବା ଆଶାରେ ଚାହିଁ ବସିଛନ୍ତି ଜଣେ ଅସହାୟ ବୃଦ୍ଧ। ସରକାରଙ୍କ ନିୟମ ଅନୁସାରେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ନିକଟରେ ପହଞ୍ଚିପାରିନି ସରକାରୀ ସହାୟତା। ଭତ୍ତା ଖଣ୍ଡିଏ ପାଇଁ କେତେ ଦ୍ୱାର ନ ହୋଇଛନ୍ତି, ହେଲେ ମିଳିଛି କେବଳ ନିରାଶା। ଏଭଳି ଏକ ଅଭାବନୀୟ ଅଭିଯୋଗ  ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତର ମଗଡ଼ିଙ୍ଗିଆ ଗ୍ରାମରୁ।
ଗ୍ରାମର ୬୨ ବର୍ଷୀୟ ବିଶ୍ୱାମିତ୍ର ମଲ୍ଲିକଙ୍କ ଜୀବନ ଏବେ ଅଭାବ ଓ ଅସହାୟତା ମଧ୍ୟରେ କଟୁଛି। ବୟସ ବଢ଼ିବା ସହ ଶାରୀରିକ ଅକ୍ଷମତା ଯୋଗୁଁ ଆଉ ପୂର୍ବଭଳି କାମଧନ୍ଦା କରି ପରିବାର ଚଳାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ଦୈନନ୍ଦିନ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଅନେକ ସମୟରେ ଦୁଇ ଓଳି ଖାଦ୍ୟ ମିଳିବା ମଧ୍ୟ ଅନିଶ୍ଚିତ ହୋଇପଡ଼ୁଛି।ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ୬୦ ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ପାଇବାର ବ୍ୟବସ୍ଥା ଥିବାବେଳେ ବିଶ୍ୱାମିତ୍ରଙ୍କୁ ୬୨ ବର୍ଷ ହୋଇସାରିଛି। ଅର୍ଥାତ୍ ସେ ଏହି ଯୋଜନାରେ ଆବେଦନ କରିବାକୁ ବୟସ ଦୃଷ୍ଟିରୁ ଯୋଗ୍ୟ। ତଥାପି ତାଙ୍କୁ ଭତ୍ତା ମିଳିନଥିବା ଘଟଣା ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳ ସ୍ତରରେ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି।
ଅଭିଯୋଗ ଅନୁଯାୟୀ, ଭତ୍ତା ଖଣ୍ଡିଏ ପାଇବା ଆଶାରେ ବିଶ୍ୱାମିତ୍ର ବାରମ୍ବାର ବଣ୍ଡଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି କ. ନୂଆଗାଁ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। ହେଲେ ତାଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଯେଉଁ ବୟସରେ ତାଙ୍କୁ ସରକାରୀ ସହାୟତା ଓ ସାମାଜିକ ସୁରକ୍ଷାର ଆବଶ୍ୟକତା ରହିଛି, ସେହି ସମୟରେ ଭତ୍ତା ପାଇଁ ଦ୍ୱାର ଦ୍ୱାର ବୁଲିବାକୁ ପଡ଼ୁଥିବା ଘଟଣା ଦୁର୍ଭାଗ୍ୟଜନକ। ସରକାର ଗରିବ, ନିରାଶ୍ରୟ ଓ ବୟସ୍କ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଯୋଜନାର ପ୍ରକୃତ ସୁଫଳ ଯଦି ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚି ନପାରେ, ତେବେ ଏହାର ଉଦ୍ଦେଶ୍ୟ କେତେଦୂର ସାର୍ଥକ ହେଉଛି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଣୁ ଜିଲ୍ଲାପାଳ ଓ କ. ନୂଆଗାଁ ବିଡିଓ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ବିଶ୍ୱାମିତ୍ର ମଲ୍ଲିକଙ୍କ ଆବେଦନ ଓ ଯୋଗ୍ୟତା ଯାଞ୍ଚ କରିବା ସହ ତାଙ୍କୁ ନିୟମାନୁଯାୟୀ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜଣେ ଯୋଗ୍ୟ ବୃଦ୍ଧଙ୍କୁ ଭତ୍ତା ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ, ତାହା ଏବେ ବଡ଼ ପ୍ରଶ୍ନ।
Ad2
Leave A Reply