Odisha news

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ  ଗିରଫ : କୋର୍ଟ ଚାଲାଣ

0
ବାଲିଗୁଡା, ତା, ୦୭/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ଟିକାବାଲି ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଟିକାବାଲି ଥାନାରେ କେସ୍ ନଂ. ୭୬/୨୬ ଏକ ମାମଲା ରୁଜୁ କରାଯାଇଛି। ଘଟଣା ରୁ ପ୍ରକାଶ ଯେ, ଦାରିଙ୍ଗବାଡ଼ି ଅଞ୍ଚଳର ଉକ୍ତ ଯୁବକ ଜଣକ ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଗତ କିଛି ଦିନ ତଳେ ସେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାହାରକୁ ଅପହରଣ କରି ନେଇଯାଇଥିଲେ। ନାବାଳିକା ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଶେଷରେ ଝିଅର ବାପା ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ଯୁବକଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ତାଙ୍କର ସଠିକ୍ ସ୍ଥାନ ନିରୂପଣ କରିବା ସହ ଚଢ଼ାଉ କରି ଉଭୟ ନାବାଳିକା ଓ ଯୁବକଙ୍କୁ ଉଦ୍ଧାର କରିଥିଲା। ଆଜି ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଯୁବକ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Nalco
Leave A Reply