ବାଲିଗୁଡା ତା, ୨୭/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ସ୍ଥିତ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷାର୍ଥୀ ଟ୍ରାକ୍ଟର ରେ ମାତ୍ର ୩ କି.ମି. କୁଡୁତୁଲି ବିଦ୍ୟାଳୟ କୁ ବୁହା ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା l ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ପାଇଁ ଆକ୍ସନ ମୋଡରେ ପ୍ରଶାସନ ତଦନ୍ତ ଆରମ୍ଭ କରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି । ପ୍ରଧାନ ଶିକ୍ଷକ ଶ୍ରୀ ରଥ ପ୍ରଥମେ ନିଜ ଦୋଷ ଲୁଚାଇବାକୁ ଯାଇ ଟ୍ରାକ୍ଟର ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଖସି ଯିବା ପାଇଁ ଚେଷ୍ଟା କରିଥିଲେ । ପରେ ଡେ ସ୍କଲାର ପିଲାଙ୍କ ଅଭିଭାବକଙ୍କ ମୁଣ୍ଡରେ ଦୋଷ ଲଦିଲେ । ଘଟଣାର ସଠିକ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡେ ସ୍କଲାର୍ ପିଲା ଅଭିଭାବକ ମାନେ ଦାବି କରିଛନ୍ତି l ପ୍ରଧାନ ଶିକ୍ଷକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଅଭିଭାବକ ମାନେ ଅପେକ୍ଷା କରି ରହିଛନ୍ତି। ସୂଚନାଯୋଗ୍ୟ ଯେ, କ.ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ରଟି ବିଦ୍ୟାଳୟ ଠାରୁ ପ୍ରାୟ ୩ କିମି ଦୂର । ଗତ ୧୯ ତାରିଖରେ ରେ ଛାତ୍ର ଛାତ୍ରୀ ମାନେ ଟ୍ରାକ୍ଟରରେ ବସି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ତଦନ୍ତକୁ ତ୍ୱରାନ୍ୱିତ କରି ବିଭାଗୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି ।