ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ତଗାକିଆ ନିକଟସ୍ଥ ୫୯ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ସୋମବାର ସକାଳେ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍ ଗାଡ଼ି OD 12 C- 6711 ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଚାଲିଚାଲି ଯାଉଥିବା ଜଣେ ୯୦ ବର୍ଷୀୟ ବୃଦ୍ଧଙ୍କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଟାଟା ମ୍ୟାଜିକ୍ ଗାଡ଼ିରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ପଥଚାରୀ ବୃଦ୍ଧ ଜଣକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତରଖାନାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବୃଦ୍ଧ ଜଣକ ତଗାକିଆ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକ ବୋଲି ସୂଚନା ମିଳିଛି । ସେପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଗାଡ଼ି ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
