Odisha news

ପୂର୍ବତନ ବିଧାୟକଙ୍କ ପଞ୍ଚାୟତରେ ପିଇବା ପାଣି ସମସ୍ୟା ଦୂର ହେବ କେବେ ? 

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତରେ ବର୍ତ୍ତମାନ କିଛି ଦିନ ହେଲା ପିଇବାପାଣି ସମସ୍ୟା ଦେଖାଦେଇଛି  l ଏହି ପଞ୍ଚାୟତଟି ବାଲିଗୁଡାର ପୂର୍ବତନ କଂଗ୍ରେସ ସମର୍ଥିତ  ବିଧାୟକ ସ୍ୱର୍ଗତ ସାହୁରା ମଳିକଙ୍କ ନିଜ ଗ୍ରାମ ପଞ୍ଚାୟତ l  ୧୬ ଗୋଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ  ଆଠ ହଜାରରୁ ଅଧିକ ଲୋକ ବସବାସ କରନ୍ତି l  ଜଙ୍ଗଲ ପାହାଡ ଭରା ଏହି ପଞ୍ଚାୟତରେ ସୁଡ୍ରା, ଗଦରପଡା, ଆମ୍ବାବାଡ଼ି, ଜାର୍ଗୀ, ଗଟାଙ୍ଗି, ଟିକରପାଜୁ, ପଲାମୀ,ସନପଡା, ମାସ୍କାପଡି ଭଳି ବହୁ ଛୋଟବଡ ଗାଁ ରହିଛି l ରାଜ୍ୟ ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମ ଗୁଡିକରେ କୂପ ଗୁଡିକ ଅଚଳ ହୋଇ ରହିଥିବା ବେଳେ ହାତ ଗଣତି କେଇଟା ନଳକୂପ ଥିବାବେଳେ ଆଜକୁ ପ୍ରାୟ କୋଡିଏ ଦିନ ରୁ ଊର୍ଧ୍ଵ ହେବ ଗ୍ରାମ୍ୟ ଜଳ ଯୋଗଣ ବିଭାଗ ପକ୍ଷରୁ ଘରକୁ ଘର ବିଶୁଦ୍ଧ ପାଣି ବ୍ୟବସ୍ଥା ବନ୍ଦ ଥିବାରୁ ସୁଡ୍ରା ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ପାଣି ଟୋପାଏ ପାଇଁ ନିଜ ନିଜ ଘର ଠାରୁ ବହୁ ଦୂରରେ ଥିବା ନଳକୂପରୁ ଆସୁଥିବା ପାଣି ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି l ତାହା ପୁଣି ଗୋଟିଏ ନଳକୂପରେ ପାଣି ନେବା ପାଇଁ ପ୍ରତିଯୋଗିତା କରିବା ସହ ଛୋଟ ବଡ଼ ପାଟି ତୁଣ୍ଡ ହୋଇ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି l ଏପଟେ ପଞ୍ଚାୟତର ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରୁନଥିବା ବିଷୟ ସୁଡ୍ରା ଗ୍ରାମର ମଞ୍ଜିଆ ଗୌଡ଼ ଓ ମାସ୍କାପଡି ଗ୍ରାମର ପ୍ରମିଳା ମଲିକ ଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଶିବ ପ୍ରସାଦ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ପାଣି ମେସିନ ପାଖରେ ସାମାନ୍ୟ ତ୍ରୁଟି ରହିଛି, ତାକୁ ତୁରନ୍ତ ସଜାଡି ପୂର୍ବ ଭଳି ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ l
Govt
Leave A Reply