ବାଲିଆପାଳ : ଆଜି ବାଲିଆପାଳ ବ୍ଲକରେ ଦୁଇଟି ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରଥମ ଘଟଣାଟି ଘଟିଛି ବଡାଶ ପଂଚାୟତ ମାଣିକସିମୁଳିଆ ଗ୍ରାମରେ । ଏହି ଗ୍ରାମର କାଶୀନାଥ ଜେନା (୭୦ ବର୍ଷ) ଗତ କାଲି ରାତିରେ ନିଜ ଘର ନିକଟସ୍ଥ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କାଶୀନାଥ ରୋଗଗ୍ରସ୍ତ ଥିବା କାରଣରୁ ଆତ୍ମହତ୍ୟା କରିଥିବା ପରିବାର ଲୋକ କହୁଥିବା ବେଳେ ପୁଅ ବହୂଙ୍କ ନିର୍ଯ୍ୟାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ ତାଙ୍କର ଏକମାତ୍ର ପୁଅ ଜଣେ ଅବସରପ୍ରାପ୍ତ ସାମରିକ ବିଭାଗ କର୍ମଚାରୀ ଅଟନ୍ତି ।
ସେହିପରି ସାଉଡି ପଂଚାୟତ ସାଉଡି ଗ୍ରାମର ରବୀନ୍ଦ୍ର ପଟ୍ଟାୟତଙ୍କ ପ୍ରଥମ ପତ୍ନୀ ପୁର୍ଣ୍ଣିମା ପଟ୍ଟାୟତ ମଧ୍ୟ ପାରିବାରିକ କଳହ କାରଣରୁ ଗଛରେ ଫାଶୀ ଲଗାଇ ଅତ୍ମହତ୍ୟା କରିଥିବା ଜଣାଯାଇଛି । ପୂର୍ଣ୍ଣିମାଙ୍କ ସ୍ୱାମୀ ରବୀନ୍ଦ୍ର ଜଣେ ଶିକ୍ଷୟିତ୍ରୀଙ୍କୁ ଦ୍ୱିତୀୟ ବିବାହ କରି ଲଙ୍ଗଳେଶ୍ୱର ଠାରେ ୧୫/୨୦ ବର୍ଷ ଧରି ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି । ଦୀର୍ଘ ଦିନ ଧରି ପୂର୍ଣ୍ଣିମାଙ୍କ ସହିତ ତାଙ୍କର ସର୍ମ୍ପକ ନଥିଲା ପୂର୍ଣ୍ଣିମା ଗୋଟିଏ ପୁଅ ସହିତ ସାଉଡିରେ ରହୁଥିବା ବେଳେ ରବିନ୍ଦ୍ରର ଦ୍ୱିତୀୟ ପତ୍ନୀଙ୍କର ଦୁଇ ଜଣ ପୁଅ ଓ ଜଣେ ଝିଅ ଅଛନ୍ତି । ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ମତାନ୍ତର କାରଣରୁ ପୂର୍ଣ୍ଣିମା ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି । ଏହି ୨ଟି ଘଟଣାକୁ ନେଇ ବାଲିଆପାଳ ଓ ସିଙ୍ଗଲା ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇଛି ।