ବାଲିଆପାଳ : ବାଲେଶ୍ୱର – ଭଦ୍ରଖ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଆପାଳ ଶାଖା ଆଜି ଜାମକୁଣ୍ଡା ଛକ ପୁରୁଣା ଗୃହରୁ ବ୍ଲକ ଛକ ସ୍ଥିତ ନୂଆ ଗୃହକୁ ସ୍ଥାନାନ୍ତରିତ ହୋଇଛି । ନୂତନ କାର୍ଯାଳୟକୁ ବିବିସିସି ସଭାପତି ରଘୁନାଥ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ସିଇଓ ଆଦିତ୍ୟ ପ୍ରସାଦ ପତି, ନିଦେ୍ର୍ଦଶକ ଦେବକୁମାର ଦେ, ମାନସ ଜେନା, ଅଜୟ ସାମଲ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ ଦୀର୍ଘ ୩୫ ବର୍ଷ ଧରି ଜାମକୁଣ୍ଡା ଛକ ନିକଟରେ ଏକ ପୁରୁଣା ଭଡା ଘରେ ବ୍ୟାଙ୍କଟି ଚାଲୁଥିଲା । ବର୍ତ୍ତମାନ ବ୍ୟାଙ୍କ କାର୍ଯ୍ୟ ବୃଦ୍ଧି ଏବଂ ଗ୍ରାହକ ସଂଖ୍ୟା ବହୁଗୁଣିତ ହୋଇଥିବା ବେଳେ ସେଠାରେ ସ୍ଥାନଭାବ ଯୋଗୁଁ ବ୍ୟାଙ୍କଟି ଠିକ୍ ଭାବେ ଚାଲି ପାରୁନଥିଲା ।
ଏହାକୁ ଦୃଷ୍ଟିରେ ରଖି ନୂତନ ଗୃହକୁ ବ୍ୟାଙ୍କ ସ୍ଥାନାନ୍ତରିତ ହୋଇଥିବା ଶାଖା ପରିଚାଳକ ତୁଷାରକାନ୍ତ ପାତ୍ର କହିଛନ୍ତି । ନୂତନ କାର୍ଯ୍ୟାଳୟରେ ୨୪୦୦ ବର୍ଗଫୁଟର ସ୍ଥାନ ରହିଥିବା ବେଳେ ତାହାକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି । ମ୍ୟାନେଜରଙ୍କ ଚେମ୍ବର ସହିତ ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ଅଲଗା ଅଲଗା ଚେମ୍ବରର ବ୍ୟବସ୍ଥା ହୋଇଛି । ଗାଡି ପାର୍କିଙ୍ଗ, ଗ୍ରାହକମାନଙ୍କ ପାଇଁ ବିଶ୍ରାମ ଗୃହ, କନଫରେନ୍ସ ହଲ, ସର୍ବସାଧାରଣଙ୍କ ପାଇଁ ଅଲଗା ଶୌଚାଳୟ ଓ ପରିଶ୍ରାଗାରର ବ୍ୟବସ୍ଥା ସହ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିଛି । ଶାଖା ପରିଚାଳକ ତୁଷାରକାନ୍ତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କରୋନା ଯୋଗୁଁ ସାମାଜିକ ଦୂରତ୍ୱ ବଜାୟ ରଖି ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।