Odisha news

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୩ ଅଟକ

0

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗ୍ରାମରେ ଆଜକୁ ୧୦ଦିନ ତଳେ ଜନୈକା ମହିଳାଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଭଳି ଅତି ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ସମେତ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଗଣ ଦୁଷ୍କର୍ମର ଶିକାର ହୋଇଥିବା ବିବାହିତା ମହିଳା ୪ଟି ପିଲାର ମାଆ ଅଟନ୍ତି । ଗତକାଲି ମଙ୍ଗଳବାର ଗଣଦୁଷ୍କର୍ମର ଶିକାର ହୋଇଥିବା ସର୍ଦ୍ଦାରବନ୍ଧ ପଞ୍ଚାୟତ ଅଞ୍ଚଳର ମହିଳା ନିଜ ବାପାଙ୍କ ଘରେ ଆଜକୁ ୨ବର୍ଷ ଧରି ଆଶ୍ରୟ ନେଇ ଦିନ ମଜୁରୀଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ପିଡ଼ୀତା ମହିଳା ଜଣଙ୍କ ଘଟଣା ସମ୍ପର୍କରେ ରାଇବଣିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କେଶ୍‍ ନମ୍ବର ୫/୨୦୨୦ ମୂଳେ ଭାରତୀୟ ଦଣ୍ଡବିଧି ଆଇନ୍‍ର ୩୭୬(ଡି )ଓ ୫୦୬ ଧାରାରେ ଏକ ମାମଲା ରୁଜୁ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ ଗିରଫ କରି ଡାକ୍ତରୀ ମାଇନା ନିମନ୍ତେ ପଠାଇଛି । ଯେଉଁ ୩ଜଣ ଅଭିଯୁକ୍ତ ଧରା ପଡ଼ିଛନ୍ତି ସେମାନେ ହେଲେ ରାଇବଣିଆ ଥାନା ନଟାବାଡ଼ ଗ୍ରାମର ଚନ୍ଦନ ଦଳେଇ (୩୦), ସାଇଁ ପଦା ଗ୍ରାମର ଅର୍ଜୁନ ମୁର୍ମୁ (୧୭) ଓ ଦାସ ମାରାଣ୍ଡି (୨୧) ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ପିଡ଼ୀତା ମହିଳା ଜଣଙ୍କର ଘର ଜଳେଶ୍ୱର ଥାନା ମହମ୍ମଦନଗର ପାଟଣା ପଞ୍ଚାୟତ ଅନ୍ତର୍ଗତ କୁବାଡ଼ିଆ ଗ୍ରାମରେ ହୋଇଥିବା ବେଳେ ତାଙ୍କର ସ୍ୱାମୀ ଛାଡ଼ିଦେବା ପରେ ସେ ନିଜ ବାପଘର ସର୍ଦ୍ଦାରବନ୍ଧ ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରିବା ସହ ନିଜର ପିଲାମାନଙ୍କୁ ଚଳାଇ ଆସୁଥିଲେ । ଗତ ୧୭ ତାରିଖ ଦିନ ଅପରାହ୍ନ ସମୟରେ ନିଜର ଜଣେ ପୁରୁଷ ସହକର୍ମୀଙ୍କ ସହ ସାଇଁପଦା ଗ୍ରାମକୁ ମଜୁରୀ ଟଙ୍କା ଆଣିବା ପାଇଁ ଯାଇ ସେଠାରୁ ଫେରୁଥିବା ବେଳେ ରାସ୍ତାରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତମାନେ ମହିଳା ଜଣଙ୍କୁ ଏକ ବାଉଁଶବୁଦା ଆଡ଼କୁ ଟେକି ନେଇ ସେଠାରେ ଗଣ ଦୁଷ୍କର୍ମ କରିବା ସହ ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ୍‍ ଦେଇଥିଲେ । ଏହି ଘଟଣା ଘଟିବା ସମୟରେ ତାଙ୍କ ସହିତ ଯାଇଥିବା ପୁରୁଷ କର୍ମୀ ଜଣଙ୍କ ଭୟଭୀତ ହୋଇ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମ ଲୋକମାନଙ୍କ ସହଯୋଗରେ ପିଡ଼ୀତା ଥାନାରେ ବିଳମ୍ବରେ ଅଭିଯୋଗ କରିଥିଲେ । ରାଇବଣିଆ ଥାନା ଅଧିକାରୀ ରବିନ୍ଦ୍ର ନାଥ ବେହେରା ଅନ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ନିମନ୍ତେ ଉଦ୍ୟମ ଚଳାଇଥିବା ପ୍ରକାଶ କରିଛନ୍ତି ।

Leave A Reply