ବାଲେଶ୍ୱର-୨୧/୦୮ : ଶନିବାର ସନ୍ଧ୍ୟାରେ ଶାନ୍ତିକାନନଠାରେ ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳଙ୍କର ପ୍ରବନ୍ଧ ପୁସ୍ତକ ଭାରତୀୟ ସଂସ୍କୃତିରେ ଜୀବନତତ୍ତ୍ୱ ଲୋକାର୍ପିତ ହୋଇଯାଇଛି । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉସôବରେ ଅଧ୍ୟକ୍ଷତା କରି କହିଲେ ଯେ ଭାରତୀୟ ସଂସ୍କୃତିରେ ଜୀବନତତ୍ତ୍ୱ ଭଳି ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବିଷୟକୁ ଲେଖକ ବିଭିନ୍ନ ଶ୍ଳୋକ ତଥା ଗଳ୍ପର ଅବତାରଣା କରି ଏଭଳି ସରଳ ଭାବରେ ବ୍ୟାଖ୍ୟା କରିଛନ୍ତି ଯେ ତାହା ସବୁ ବୟସର ପାଠକଙ୍କ ପାଇଁ ସୁଖପାଠ୍ୟ ହେବ । ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଡ. ବିଶ୍ୱାଳ କହିଲେ, ଭାରତୀୟ ସଂସ୍କୃତି ଭଳି ଏକ ବ୍ୟାପକ ବିଷୟକୁ ଅତି ଚୁମ୍ବକରେ ବର୍ଣ୍ଣନା କରି ପାଠକମାନଙ୍କୁ ଭେଟି ଦେଇଛନ୍ତି । ତାହା ଉପାଦେୟ ସାବ୍ୟସ୍ତ ହେଲେ ତାଙ୍କର ଶ୍ରମ ସାର୍ଥକ ହେବ । ଉନ୍ମୋଚକ ତଥା ବିଶିଷ୍ଟ ଗବେଷକ ଡ. ମଥୁରାନାଥ ହୋତା କହିଲେ, ପୁସ୍ତକଟି ହେଉଛି ଭାରତୀୟ ସଂସ୍କୃତିର ଏକ ଭାବଗର୍ଭକ କ୍ୟାପସୁଲ । ଭାରତୀୟ ସଂସ୍କୃତିକୁ ନେଇ ସାରା ପୃଥିବୀରେ ଅନେକ ପୁସ୍ତକ ରଚନା କରାଯାଇଛି ।
ସେଗୁଡ଼ିକର ସାରମର୍ମ ଏହି ପୁସ୍ତକରେ ସନ୍ନିବେଶିତ । ମୁଖ୍ୟଅତିଥି ଅରୁଣା ରାୟ ପୁସ୍ତକଟିର ବିଷୟବସ୍ତୁ, ରଚନାଶୈଳୀ ଏବଂ ସର୍ବୋପରି ନିର୍ଭୁଲ ସଂସ୍କରଣ ପାଇଁ ଲେଖକଙ୍କୁ ବଧେଇ ଜଣାଇଥିଲେ । ସେ କହିଲେ ଯେ ଭାରତୀୟ ସଂସ୍କୃତି ହିଁ ବିଶ୍ୱଭ୍ରାତୃତ୍ୱର ବାର୍ତ୍ତା ବହନ କରେ । ସେବା, ସାଧୁତା, ସଂଯମତା, ତ୍ୟାଗ, ତପସ୍ୟା ଆଦି ମହତଗୁଣ ପାଇଁ ଭାରତୀୟମାନେ ଯୁଗେଯୁଗେ ବିଶ୍ୱବନ୍ଦିତ । ପ୍ରାରମ୍ଭରେ ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ସଂପାଦକ ଦୀପକ ବୋଷ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ତପନ ରାୟ, ନିବାରଣ ଜେନା, ଡ. ଶିରୀଶ ଚନ୍ଦ୍ର ଜେନା, ଶାନ୍ତିଲତା ପଣ୍ଡା, ମମତା ଦାସ, ଶାନ୍ତି ବିଶି, ତୃପ୍ତୀରାଣୀ ପାତ୍ର, ଡା. କୁମାର ଗୋପାଲ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଦେବାଶିଷ ସିଂହ, ମମତା ମହାନ୍ତି, ଜ୍ୟୋତ୍ସ୍ନା ରାୟ, ଶରତ କୁମାର ମହାପାତ୍ର, ଶ୍ରୀରୂପା ମଂଜରୀ ସେନ୍, ରାମକୃଷ୍ଣ ପତି, କରୁଣାକର ସ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ଅମ୍ବୁଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।