Odisha news

ବୈଶିଙ୍ଗା ପୁଲିସକୁ ମିଳିଲା ବଡ ସଫଳତା, ୪ ପେସାଦାର ଯୁବ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ , ଏକାଧିକ ସାମଗ୍ରୀ ଜବତ , ବୈଶିଙ୍ଗା ପୁଲିସ ଦ୍ବାରା ପ୍ରେସ ମିଟରେ ପ୍ରକାଶ

0

ବେତନଟୀ : ବିଭିନ୍ନ ଥାନାର ୧୧ ଗୋଟି କେସରେ ଜଡିତ ଥିବା ୪ ଜଣ ପେସାଦାର ଯୁବ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଶିଙ୍ଗା ପୁଲିସ। ସେଥି ମଧ୍ୟରୁ ବୈଶିଙ୍ଗା ଥାନାରେ ୯ଗୋଟି କେସ ,ବଡସାହି ଥାନାରେ ଗୋଟିଏ ଏବଂ ମୋରଡା ଥାନାରେ ଗୋଟିଏ ମାମଲା ଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ଏକାଧିକ ସାମଗ୍ରୀ ଜବତ ହୋଇଥିବା ବୈଶିଙ୍ଗା ପୁଲିସ ଦ୍ୱାରା ପ୍ରେସ ମିଟରେ ପ୍ରକାଶ। ସୂଚନା ଯୋଗ୍ୟ ଗତ ମାର୍ଚ୍ଚ ମାସ ୧୯ ତାରିଖରେ ଅଙ୍ଗାରଗଡିଆ ସ୍ଥିତ ଦୀନବନ୍ଧୁ ହାଇସ୍କୁଲରେ ବିଳମ୍ବିତ ରାତ୍ରୀ ସମୟରେ  ବିଦ୍ୟାଳୟର ଶ୍ରେଣୀଗୃହର ତାଲା ଭାଙ୍ଗି କମ୍ପ୍ୟୁଟର ବ୍ୟାଟେରୀ , ୟୁପିଏସ , ସିପିୟୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ୧୦୨/୨୩ର ମାମଲା ମୂଳେ ତଦନ୍ତ ଜାରି ରଖିଥିଲା ବୈଶିଙ୍ଗା ପୁଲିସ। ତଦନ୍ତ ପୂର୍ବକ ୪ ଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇଥିବା ଜାଣିବାକୁ ପାଇଥିଲା ଏବଂ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁରୁଣିଆ ଅଞ୍ଚଳରେ ଲୁଚି ଥିବା ଉକ୍ତ ୪ ଜଣଙ୍କୁ ଥାନାକୁ ନେଇ ଆସିଥିଲା ବୈଶିଙ୍ଗା ପୁଲିସ। ପଚରାଉଚରା କରିବା ପରେ ସେମାନେ ଚୋରି କରିଥିବା  ମାନିଯିବା ସହିତ ବିଭିନ୍ନ ବିଦ୍ୟାଳୟ ତଥା ଅନ୍ୟ ଜାଗା ମାନଙ୍କରୁ ଘଟାଇଥିବା ଚୋରି ସମ୍ବନ୍ଧରେ ପୁଲିସ ଆଗରେ ପ୍ରକାଶ କରିଥିଲେ। ତନାଘନା ଚାଲିବା ପରେ ସେମାନଙ୍କ ଠାରୁ ୭ଟି ବାଇକ, ୩ଟି କମ୍ପ୍ୟୁଟର ବ୍ୟାଟେରୀ , ୩ଟି ଅଟୋ ବ୍ୟାଟେରୀ , ୨ଟି ସମର ସେବଲ ପାଣିପମ୍ପ , ୧ଟି ମନିଟର , ୧ଟି ୱେଲଡିଂ ମେସିନ, ୯ଟି ଗ୍ୟାସ ସିଲିଣ୍ଡର , ୧ଟି ଓଜନ ମେସିନ, କଂସା ,ପିତ୍ତଳ, ସିଲଭର ଏବଂ ଷ୍ଟିଲ ବାସନ କୁସନ, ରୋଷେଇ ପାଇଁ ବ୍ୟବହୃତ ବଡ ଗଞ୍ଜ, ୨କ୍ଵିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ସେହି ୪ ଜଣ ଚୋର ହେଲେ ବୈଶିଙ୍ଗା ଥାନା ଅଧୀନ ବଡମିରଗା ଗ୍ରାମର କମଳାକାନ୍ତ ଗୋଚ୍ଛାୟତ (୨୦), ପଣସିଆ ଗ୍ରାମର ଅଶୋକ ସିଂ(୨୬) ଏବଂ ବଡସାହି ଥାନା ଅଧୀନ ତେନ୍ତୁଳିମୁଣ୍ଡା ଗ୍ରାମର ଜୟନ୍ତ ଦେହୁରୀ (୧୯), ଭିମଦା ଗ୍ରାମର ଶିବଶଙ୍କର ଗିରି (୨୧) । ଏହି ଚୋରି ଘଟଣାକୁ ନେଇ ବେତନଟୀ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶଙ୍କ ତତ୍ତ୍ଵାବଧାନରେ  ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ଦ୍ୱାରା ମିଳିତ ଭାବେ ପ୍ରେସ ମିଟ କରି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଆଜି ଅପରାହ୍ନ ସମୟରେ ୧୦୨/୨୩ର ମାମଲା ମୂଳେ ଉକ୍ତ ୪ଜଣ ଚୋରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଚୋରି ଘଟଣାର ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ପୁନର୍ବାର ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଏସଡିପିଓ ଶ୍ରୀଯୁକ୍ତ ଦାଶ ପ୍ରକାଶ କରିଥିଲେ। ପୁଲିସର ଏହି ବଡ ସଫଳତା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରଶଂସା କରାଯାଇଛି।

Leave A Reply