ଭୁବନେଶ୍ୱର, ୯ ।୪: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କ ଲକ ଡାଉନ ବୃଦ୍ଧି ନିଷ୍ପତ୍ତିକୁ ବିଜେପି ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି । ସରକାରଙ୍କ ନିୟମ ଏବଂ ଗାଇଡ ଲାଇନ ମାନିବା ପାଇଁ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଣ୍ଡା କହିଛନ୍ତି, ଓଡ଼ିଶାରେ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଜାରି ରହିବ ତଥା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍, କଲେଜ ବନ୍ଦ ରହିବ ବୋଲି ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବିଜେପି ଏ ନେଇ ସମ୍ପୂର୍ଣ୍ଣ ସହଯୋଗ କରିବ । ସରକାରଙ୍କ ନିୟମ ଏବଂ ଗାଇଡ ଲାଇନ ମାନିବା ଯେପରିକି ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଏବଂ ବିଭିନ୍ନ ବର୍ଗର ନାଗରିକମାନଙ୍କ ପାଖରେ ସୁବିଧା ସହଯୋଗ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ସାରିଛନ୍ତି । ରାଜ୍ୟ ବାହାରେ ଫସିଥିବା ଲକ୍ଷାଧିକ ଓଡ଼ିଆମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସୁବିଧା ସହଯୋଗ ପହଞ୍ଚାଇଛନ୍ତି । ଏଥିସହ ପୂରା ଦେଶରେ ଓଡ଼ିଶାରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ଖାଦ୍ୟ ଓ ମାସ୍କ ପହଞ୍ଚାଉଛନ୍ତି । ଏହି ଲକ୍ଡାଉନ୍ ସମ୍ପ୍ରସାରଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକ ବିଶେଷକରି କାମକୁ ଯାଇପାରୁ ନଥିବାରୁ ଯେଉଁମାନେ ଦରମା ପାଇପାରୁ ନାହାନ୍ତି, ସେମାନଙ୍କୁ ସାହାଯ୍ୟ କରିବା ଦିଗରେ ପଦକ୍ଷେପ ନେବା ଲାଗି ଶ୍ରୀଯୁକ୍ତ ପଣ୍ଡା ଅନୁରୋଧ କରିଛନ୍ତି ।