ଭୁବନେଶ୍ବର, ୨୯।୧୦ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ଅସୁସ୍ଥ ଓଡିଆ ଯୁବକ ବାଇଧର ଘଡାଇ ଆଜି ଓଡିଶାରେ ପହଞ୍ଚିଛନ୍ତି। ବାଇଧରଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଅକ୍ଟୋବର ୨୩ ତାରିଖରେ ଏକ ଚିଠି ଲେଖି ନିବେଦନ କରିବା ସହ ଦୂତାବାସ ସହ ନିୟମିତ ଯୋଗାଯୋଗରେ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମର ନିରାକାର ଘଡାଇଙ୍କ ବଡ ପୁଅ ବାଇଧର ଘଡାଇ ନିଜର ସଂର୍ପକୀୟ ଦେବ କୁମାର ଘଡାଇଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଗତ ୫ ମାସ ହେବ କାମ କରି ଆସୁଥିଲେ କିନ୍ତୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସାରେ କୌଣସି ସୁଫଳ ନମିଳିବା ଓ ଅଧିକ ଜନ୍ତ୍ରଣା କାରଣରୁ ଉକ୍ତ କମ୍ପାନୀରୁ ବାଇଧର ଇସ୍ତଫା ଦେଇ ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇନଥିଲେ କିମ୍ବା ବକେୟା ଦରମା ମଧ୍ୟ ଦେଉନଥିବା ବାଇଧର ପରିବାର ଲୋକଙ୍କୁ ଜଣାଇଥିଲେ। ଅସହାୟ ବାଇଧର ସେଠାରେ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଥିଲେ ଏବଂ ଅସୁସ୍ଥତା କାରଣରୁ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।
ଏ ନେଇ ବାଇଧରଙ୍କ ପିତା ନିରାକାର ଘଡାଇ ପୁଅକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ବାଇଧରଙ୍କୁ ଠାବ କରିବା ସହ ତାଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ। ଆଜି ବାଇଧରଙ୍କ ଫେରିବା ଖବର ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ପରିବାର ଲୋକଙ୍କୁ ଜଣାଇବା ପରେ ଆନନ୍ଦର ଲହରି ଖେଳିଯାଇଥିଲା। ପରିବାର ଲୋକ ଆଜି ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ଭୂବନେଶ୍ବର ବିମାନ ବନ୍ଦର ଯାଇଥିଲେ। ସେଠାରେ ଶ୍ରୀଯୁକ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ବାଇଧରଙ୍କୁ ସ୍ବାଗତ କରାଯାଇଥିଲା ଓ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ମହାନୀୟତା ପାଇଁ ବାଇଧରଙ୍କ ପରିବାର ଶ୍ରୀଯୁକ୍ତ ପଣ୍ଡାଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।
Comments are closed.