Odisha news

ବଡଚଣା ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ : କଲିକତା ରୁ ଫେରି ଟି.ଏମ୍.ସି. ରେ ଥିଲେ , ୧୪୪ ଧାରା ଜାରି କଲା ପ୍ରଶାସନ

0

ଉଦୟଗିରି : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଞ୍ଚଳରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ନିକଟରେ କଲିକତାରୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟି.ଏମ.ସି)ରେ ରହିଥିଲେ । ତାଙ୍କର ସ୍ୱାବ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ତାହା ଆଜି ପଜିଟିଭ ବାହାରିଛି । ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଆକ୍ରାନ୍ତ ଜଣଙ୍କୁ କଳିଙ୍ଗନଗର ସ୍ଥିତ କୋଭିଡ ଚିକିତ୍ସାଳୟକୁ ପଠାଯାଇଛି । ଚିହ୍ନଟ ହୋଇଥିବା ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ସୂଚନା ଯୋଗ୍ୟ ଯେ ଏହି ବ୍ଲକର ସାଉଡିଆ ପଞ୍ଚାୟତର ତାଳୁ ଗ୍ରାମର ଏହି ୪୯ ବର୍ଷିୟ ଆକ୍ରାନ୍ତ ଜଣକ ଗତ ୧୦ ତାରିଖରେ କଲିକତାରୁ ଫେରିଥିଲେ । ସେ ଅନ୍ୟଦୁଇଜଣ ଯାତ୍ରୀ ଙ୍କ ସହ ଏକ କାର ଯୋଗେ କଲିକତାରୁ ପାଣି କୋଇଲି ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଜିଲ୍ଲା ନୋଡାଲ ସେଣ୍ଟରେ ପଞ୍ଜିକରଣ କରିଥିଲେ ।

ପରେ ତାଙ୍କର ପରିବାର ଲୋକେ ଦୁଇଟି ବାଇକ ଯୋଗେ ପାଣି କୋଇଲି ଠାରେ ପହଞ୍ଚିଥିଲେ । ସେ ସେଠାରୁ ଗୋଟିଏ ବାଇକରେ ସାଉଡିଆ ପଞ୍ଚାୟତର ତାଳୁ ଗ୍ରାମରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିରରେ ପହଞ୍ଚିଥିଲେ ।୧୧ ତାରିଖରେ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଆଜି ତାହା ପଜିଟିଭ ଜଣାପଡିଥିଲା । ଏହି ଘଟଣା ଜଣା ପଡିବା ପରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଅଜିତ ନାରାୟଣ ଗିରି, ତହସିଲଦାର ବରେଣ୍ୟେନ୍ଦୁ ମହାନ୍ତି,ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର, ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ରଶ୍ମିରଞ୍ଜନ ପଶାୟତ ପ୍ରମୁଖ ସାଉଡିଆ ସ୍ଥିତ ତାଳୁଆ ପ୍ରାଥମିକ ବିଦ୍ୟାଳୟରେ ଠାରେ ପହଞ୍ଚି ସ୍ଥିତି ପରଖିଥିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତ ଜଣକୁ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଅସ୍ଥାୟୀସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଅନ୍ୟତିନିଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ର ୧୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଅନ୍ୟାଦେଶ ପର୍ଯ୍ୟନ୍ତ ଜାରି କରାଯାଇଛି ।

ଆକ୍ରାନ୍ତ ଜଣଙ୍କ କଲିକତାରୁ ଫେରି ସିଧାସଳଖ ଟି.ଏମ.ସି ରେ ପହଞ୍ଚିଥିବାରୁ ସେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନାହାନ୍ତି ତେଣୁ ଭୟଭିତ ହେବାର କୌଣସି କାରଣ ନାହିଁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।

Govt
Leave A Reply