Odisha news

କରୋନା ପ୍ରତିରୋଧ ପାଇଁ ଆଉ ଦୁଇପାଦ ଆଗେଇଲା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ

0

ତା୨୦ା୦୩ା୨୦୨୦ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଯଥାଶକ୍ତି ସହାୟତା ପ୍ରଦାନ କରିଆସିଛି । ଅଧୁନା ମହାମାରି ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସଂଗଠନ ତାହାର କାର୍ଯ୍ୟ ଅବ୍ୟାହତ ରଖିଛି । ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ନେଇ ଏକ ବ୍ରିଗେଡ ଗଠନ କରି ସାରା ରାଜ୍ୟରେ ବ୍ୟାନର ଓ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରୋନା ପ୍ରତିରୋଧର ସଚେତନ ସୃଷ୍ଟି କରିଚାଲିଛି ।

ଏଇ ବ୍ରିଗେଡର ମେମ୍ବର ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ନିଜ ନିଜ ଅଞ୍ଚଳରେ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସହିତ ମିଶି ସାଧାରଣ ଲୋକଙ୍କୁ ହାତଧୂଆ ପ୍ରଣାଳୀ ଶିଖାଇବା ସହିତ ହାତଧୂଆ ସାମଗ୍ରୀ ସାନିଟାଇଜର ଓ ଆବଶ୍ୟକ ସ୍ଥଳେ ମାସ୍କ ମଧ୍ୟ ବଣ୍ଟନ କରି ଲୋକମାନଙ୍କୁ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି ଏବଂ ଭୟ ନକରି ଏହି ମହାମାରିକୁ ପ୍ରତିରୋଧ କରିବା ଲାଗି ଜନସାଧାରଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି ।

ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜିଲ୍ଲାରେ ଏହି ବ୍ରିଗେଡ ଜରିଆରେ କରୋନା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଆଜି ଫେସ୍‌ବୁକ୍ ଏବଂ ହ୍ୱାଟସ୍‌ଅପରେ ମୁଖ୍ୟକମିଶନର ସମସ୍ତ ବ୍ରିଗେଡ୍ ମେମ୍ବରମାନଙ୍କୁ ସେମାନଙ୍କର କାମ ଲାଗି ଧନ୍ୟବାଦ ଦେଇ ନିଜର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ, ସାବଧାନର ସହ ଏହି ସଚେତନତା ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି ।

Leave A Reply