ଆଠଗଡ଼ ତା ୧୮-୦୯-୨୩ ଆଜି ଅପରାହ୍ନ ପ୍ରାୟ ତିନି ଟା ସମୟରେ ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ଚାରି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।
ମୃତକ ମାନେ ହେଲେ ତିଗିରିଆ ଥାନା ଅନ୍ତର୍ଗତ ଵିନ୍ଧାଣୀମା ଗ୍ରାମ ର ଭୀମସେନ ବେହେରା ଙ୍କ ପୁଅ ସୁବାସ ବେହେରା (୩୬), ସେହି ଗ୍ରାମର ଗଣେଶ୍ୱର ଖଟୁଆ ଙ୍କ ପୁଅ ଚନ୍ଦନ ଖଟୁଆ (୨୮) ,ଵାଣେଶ୍ଵର ପଡା ଗ୍ରାମ ର ମଙ୍ଗୁଳି ବେହେରା ଙ୍କ ପୁଅ ଆନନ୍ଦ ଓରଫ୍ ବାବୁଲି ବେହେରା (୩୯), ନୂଆ ପାଟଣା ଗ୍ରାମର ଵୀରଵର ପୃଷ୍ଟି ଙ୍କ ପୁଅ ସିଲୁ ପୃଷ୍ଟି (୨୭) ବୋଲି ଜଣାପଡିଛି। ଗୁରୁତର ଆହତ ହୋଇ ଥିବା ନୂଆ ପାଟଣା ସୁରେନ୍ଦ୍ର ପାଟଣା ର ନୀଳମଣି ସାହୁ ଙ୍କ ପୁଅ ଦୀପକ ସାହୁ (୩୫) ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଆଠଗଡ଼ ଡ଼ାକ୍ତରଖାନା ସୂତ୍ରରୁ ଜଣାପଡିଛି। ଆଜି ଅପରାହ୍ନରେ ଏହି ପାଞ୍ଚ ଜଣ ଯାକ ଏକ ମାରୁତି ସ୍ଵିଫ୍ଟ ଡିଜାୟାର କାର ନଂ ଓଡି-୦୨- ଵିଡି-୭୦୬୯ ରେ ଅଂଶୁପା ରୁ ବୁଲାବୁଲି କରି ଘରକୁ ଫେରୁଥିବା ବେଳେ ନରସିଂହପୁର ପଟୁ ଆସୁଥିବା ଏକ ଆଇଚର ଟ୍ରକ ନଂ ଓଡି-୦୫- ବି ଏଲ -୦୭୫୪ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କୁ ଆଠଗଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ଜଣକର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଅବସ୍ଥା ରେ ଅନ୍ୟ ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ତିଗିରିଆ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ସଦଳବଳେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହିତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ମୃତ ଦେହ ଗୁଡ଼ିକୁ ଆଠଗଡ଼ ଡ଼ାକ୍ତରଖାନାରେ ରଖା ଯାଇଛି। ଆସନ୍ତା କାଲି ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରା ଯିବ ବୋଲି ଜଣାପଡିଛି।