ଆଠଗଡ଼ ତା ୧୬-୦୭-୨୩ ରବିବାର ଗତ କାଲି ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖୁଣ୍ଟୁଣୀ ଷ୍ଟେସନ ରୋଡ଼ ରେ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ବେଳେ ଘର ଭିତରେ ଥିବା ମା ଓ ପୁଅ ଗୁରୁତର ଆହତ ହୋଇଛନ୍ତି।ଗତ କାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଖୁଣ୍ଟୁଣୀ ଷ୍ଟେଶନ ରୋଡ଼ ସ୍ଥିତ କୈଳାସ ବେହେରାଙ୍କ କୋଠା ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି କେବଳ ରୋଷେଇ ଘରକୁ ଛାଡି ପ୍ରାୟ ସମସ୍ତ ୪ ବଖରା ଘରେ ଥିବା ସମସ୍ତ ୨ଟି ଏସି, ୩ଟି ଦାମୀ ସ୍କୁଟି ଓ ବାଇକ ଲକ୍ଷାଧିକ ଟଙ୍କାର କୁରୁକୁରି, ତଡ଼କା, ସେଓ ଓ ପିଲାଙ୍କ ଖାଦ୍ୟ ପୋଡି ପାଉଁଶ ହୋଇଯାଇଛି । ସୌଭାଗ୍ୟକୁ ଘର ଭିତରେ ଥିବା ସ୍ୱର୍ଗତ କୈଳାସ ବେହେରାଙ୍କ ପୁଅ ସୌଭାଗ୍ୟ ଓ ତାଙ୍କ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନିଆଁ ଲାଗିବା ପରେ ଘର ଭିତରୁ ପାଟି ଶୁଣି ସ୍ଥାନୀୟ ଲୋକେ ଝରକା ତାଡି ସୌଭାଗ୍ୟ ଓ ତାଙ୍କ ମା’ଙ୍କୁ ଉଦ୍ଧାର କରି ଖୁଣ୍ଟୁଣୀ ଆମ୍ବୁଲାନ୍ସ ନଥିବାରୁ ପୋଲିସ ଭ୍ୟାନରେ ଆଠଗଡ଼ ଡାକ୍ତରଖାନା ପଠାଇଥିଲେ । ସୌଭାଗ୍ୟ ଓ ତାଙ୍କ ମା ଖିଆପିଆ ସାରି ରାତି ୧୧ଟା ବେଳେ ଶୋଇଥିଲେ । ଠିକ ରାତି ଗୋଟାଏ ହେବ ଘର ଭିତରୁ ଖୁବ ଜୋର ଆମକୁ ବଞ୍ଚାଅ ବୋଲି ପାଟି ଶୁଭିଲା । ପାଖ ଘର ଲୋକ ଉଠି ବେହେରାଙ୍କ ଘର ଉପରୁ ପ୍ରବଳ ଧୁଆଁ ସହିତ ନିଆଁ ବାହରୁଥିବାର ଦେଖି ଗାଁ ଭିତରକୁ ଫୋନ କରିଥିଲେ । ଖବର ପାଇ ଆରତୀ ଷ୍ଟିଲ ର ଦମକଳ ଏବଂ ଆଠଗଡ଼ ଦମକଳ ନିଆଁ କୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି । ଏପରି ଅଗ୍ନିକାଣ୍ଡ ଏଠାରେ ପ୍ରଥମ ବୋଲି କୁହାଯାଉଛି ।