କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ
‘ମୋର ରାଜନୈତିକ ଅନୁଭବ କିଛି ନାହିଁ , ଧର୍ମେନ୍ଦ୍ର ପ୍ରଧାନ ମୋତେ ସବୁଦିନ ଗାଇଡ୍ କରନ୍ତି
ଭୁବନେଶ୍ୱର : ‘ମୋର ରାଜନୈତିକ ଅନୁଭବ କିଛି ନାହିଁ। ଧର୍ମେନ୍ଦ୍ର ପ୍ରଧାନ ମୋତେ ସବୁଦିନ ଗାଇଡ୍ କରନ୍ତି। ଓଡ଼ିଶାରେ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ତାଙ୍କ ପରାମର୍ଶ ଲୋଡ଼େ। ସେ ମଧ୍ୟ ମାର୍ଗଦର୍ଶନ ଦିଅନ୍ତି’। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜର ମାର୍ଗଦର୍ଶକ କହି ଏବେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗୁରୁବାର ଭୁବନେଶ୍ବର ରେଳ ଷ୍ଟେସନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାଗନେଇ ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।
ଶ୍ରୀ ବୈଷ୍ଣବଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ବିଜେପି ଆଭ୍ୟନ୍ତରୀଣ ରାଜନୀତିକୁ ଅଧିକ ଗୋଳିଆ କରିଦେଇଛି। କେନ୍ଦ୍ର ରେଳମନ୍ତ୍ରୀ ଏହି ଧାଡିକ କହି ଧର୍ମେନ୍ଦ୍ରଙ୍କୁ ସାମ୍ନାକୁ ଆଣିବା ସହିତ ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଚର୍ଚ୍ଚାକୁ ପ୍ରଶମିତ କରିଛନ୍ତି ବୋଲି ଗୋଟିଏ ପକ୍ଷ ମତ ରଖୁଛନ୍ତି। ଅନ୍ୟଗୋଟିଏ ପକ୍ଷର ମତ ହେଉଛି, ଏହାଦ୍ବାରା ଧର୍ମେନ୍ଦ୍ରଙ୍କର ପତିଆରା ବଢ଼ିବାରେ ଏହା ସାହାଯ୍ୟ କରିପାରେ, କିନ୍ତୁ ରେଳବାଇ କ୍ଷେତ୍ରରେ କିଛି ବି ସମସ୍ୟା ରହିଲେ, ଏବେ ସେଥିରେ ଧର୍ମେନ୍ଦ୍ର ଭାଗୀଦାର ହେବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଥିଲେ ଯେ ଉତ୍ତରପ୍ରଦେଶ ଭଳି ଗୁରୁତ୍ବପୂର୍ଣ୍ଣ ରାଜନୈତିକ ରାଜ୍ୟର ଦାୟିତ୍ବ ଯିଏ ସମ୍ଭାଳୁଛନ୍ତି ସେ ଆମ ନେତା ଧର୍ମେନ୍ଦ୍ର ପ୍ରଧାନ। ଆମ ସମସ୍ତଙ୍କୁ ସେ ଗାଇଡ୍ କରୁଛନ୍ତି। ଯିଏ କୁହନ୍ତି ବିକାଶର ସୂର୍ଯ୍ୟୋଦୟ ଯଦି ହେବ ତେବେ ପୂର୍ବ ଦିଗରୁ ହେବ। ପୂର୍ବ ଦିଗ ଅର୍ଥାତ୍ ଓଡ଼ିଶାରୁ ହିଁ ବିକାଶର ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ତାଙ୍କ ଆହ୍ବାନକୁ ଗ୍ରହଣ କରି ୩ଟି ବିଭାଗର ଦାୟିତ୍ବ ନେବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଆସିଥିଲି। ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ କାହିଁକି ରେଳ ନାହିଁ ବୋଲି ଲୋକେ ପ୍ରଶ୍ନ ଉଠାଇଥିଲେ। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବୌଦ୍ଧ, ବରଗଡ଼ରେ ଆବଶ୍ୟକୀୟ ରେଳ ଭିତ୍ତିଭୂମି ନ ଥିବା ଲୋକେ କହିଥିଲେ। ସମସ୍ତଙ୍କ କଥା ଶୁଣିଥିଲି। ହେଲେ କରିଦେବି ବୋଲି କାହାକୁ ପ୍ରତିଶ୍ରୁତି ଦେଇନି। କାରଣ କାମ କରିବା ଆମ ଦାୟିତ୍ବ। ଫଳ ଦେବା କେବଳ ଜଗନ୍ନାଥଙ୍କର। ଗସ୍ତ ପରେ ଦିଲ୍ଲୀ ଗଲି। ସେଠାରୁ ସିଧା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିକଟକୁ ଯାଇ ଲୋକଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲି। ମାଲକାନଗିରି, ନବରଙ୍ଗପୁର, ଜୟପୁର, ଥିରୁବାଲି-ଗୁଣୁପୁର ଲାଇନ୍, ଜୁନାଗଡ଼-ନବରଙ୍ଗପୁର ଲାଇନ୍ ଆଦି ରେଳ ପ୍ରକଳ୍ପ ପାଇଁ ରହିଥିବା ପ୍ରତିଟି ଦାବି ଉପରେ ଆଲୋଚନା କରିଥିଲି। କେମିତି କାମ କରିବା ବୋଲି ପଚାରିଥିଲି। ପ୍ରଧାନ ସାର୍ କହିଲେ ତୁମ ଉପରେ ମୋଦୀଜୀଙ୍କ ଆର୍ଶୀବାଦ ରହିଛି। ଓଡ଼ିଶା ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ। ସେ ଯେଉଁଭଳି ସାହସ ଓ ପୋତ୍ସାହନ ଦେଲେ ସେଠାରୁ ଆଗକୁ ବଢ଼ିଲି। ସବୁ ଅଫିସରଙ୍କୁ ଡାକି ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କଲି। ପରିଣାମ ସ୍ବରୂପ ଏବେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆଗେଇବାରେ ଲାଗିଛି।
