Odisha news

ଅର୍ଣ୍ଣବ ପରେ..ଭାଙ୍ଗିଲା ପୋଲ, ବିପଦସଙ୍କୁଳ ଚେକ୍‌ଡ୍ୟାମ୍‌ ଭରସାରେ ଯାତାୟାତ ବାଇକ୍‌ ପାର ପାଇଁ ନେଉଛନ୍ତି ୨୦୦ ଟଙ୍କା ପାରିଶ୍ରମିକ

0
ବାଲିଗୁଡ଼ା, ତା. ୦୧/୧୧: ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ପରେ ରାଇକିଆ ବ୍ଲକ୍‌ରେ ଭୁଶୁଡ଼ି ପଡ଼ିଛି ଯୋଗାଯୋଗ ବ୍ୟବସ୍ଥା। ବିଭିନ୍ନ ସ୍ଥାନରେ ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହେବା ଫଳରେ ଅନେକ ଗ୍ରାମକୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି। ଏପରିକି ଜରୁରୀ କାମରେ ବାହାରୁଥିବା ଲୋକେ ମଧ୍ୟ ରାସ୍ତା ପାର୍‌ ହୋଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସଙ୍କଟ ସମୟରେ ଲୋକଙ୍କ ଯାତାୟାତକୁ ସହଜ କରିବା ପାଇଁ କିଛି ଯୁବକ ଆଗକୁ ଆସିଛନ୍ତି। ରାଇକିଆ ବ୍ଲକ୍‌ର ମାଲାଗୁଡ଼ା ପୋଲ ନିକଟରେ ଥିବା ଏକ ଛୋଟ ଚେକ୍‌ଡ୍ୟାମ୍‌ ଉପର ଦେଇ ସେମାନେ ଲୋକଙ୍କ ବାଇକ୍‌ ପାର୍‌ କରାଇବାରେ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟରେ ପ୍ରାୟ ୮ରୁ ୧୦ ଜଣ ଯୁବକ ଦିନତମାମ ନିୟୋଜିତ ରହୁଥିବା ଜଣାପଡ଼ିଛି। ତେବେ ଏହି ସହାୟତା ମାଗଣାରେ ମିଳୁନାହିଁ। ବାଇକ୍‌ ପାର୍‌ କରାଇବା ବାବଦରେ ଆବଶ୍ୟକସ୍ଥଳେ ଯୁବକମାନେ ୨୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଉଥିବା ଜଣାପଡ଼ିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ବାଧ୍ୟ ହୋଇ ଏହି ବିକଳ୍ପର ସହାୟତା ନେଉଛନ୍ତି। ତେବେ କ୍ଷତିଗ୍ରସ୍ତ ଚେକ୍‌ଡ୍ୟାମ୍‌ ଉପରେ ବାଇକ୍‌ ଚଳାଚଳ କରାଇବା ବିପଦମୁକ୍ତ ନୁହେଁ। ତେଣୁ ଏଭଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ତଦାରଖର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ କଲଭର୍ଟର ମରାମତି କାର୍ଯ୍ୟ ଜାରି ରହିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଯାତାୟାତ ସ୍ୱାଭାବିକ ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ତେବେ ମରାମତି କାର୍ଯ୍ୟ ଶେଷ ହୋଇ ରାସ୍ତା ପୂର୍ବବତ୍‌ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ଯାତାୟାତ ଦୁର୍ଦ୍ଦଶା ଜାରି ରହିବା ଆଶଙ୍କା ରହିଛି।
Ad2
Leave A Reply