ବାଲିଗୁଡା, ତା, ୦୧/୧୧ : (ସଞ୍ଜୟ କୁମାର ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତରେ କୃଷିକ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଯେଉଁ ଚାଷ ଜମିରେ ଦିନେ ହଳଦୀ, ଧାନ, ଫୁଲକୋବି, ବିନ୍ସ ସମେତ ବିଭିନ୍ନ ପନିପରିବା ଫସଲ ହସି ଉଠୁଥିଲା, ଆଜି ସେହି ଜମିରେ ବାଲି, ମାଟି ଓ ପଙ୍କର ମୋଟା ଆସ୍ତରଣ ଜମି ରହିଛି। ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ପ୍ରକୃତିର ଏହି ତାଣ୍ଡବ ଚାଷୀ ପରିବାରଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ବର୍ଷସାରା ଜମିରେ ପରିଶ୍ରମ କରି ଫସଲ ଅମଳ କରିବାର ସ୍ୱପ୍ନ ଦେଖିଥିବା ଚାଷୀଙ୍କ ସମସ୍ତ ଆଶା ଏବେ ମାଟିରେ ମିଶିଯାଇଛି। ଫସଲ ନଷ୍ଟ ହେବା ସହ ଚାଷ ଜମିରେ ବାଲି ଓ ପଙ୍କ ଜମି ରହିଥିବାରୁ ଆଗାମୀ ଦିନରେ ପୁନର୍ବାର ଚାଷ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ସହଜ ହେବ ନାହିଁ। ଏହି ଚାଷ ଜମି ହିଁ ଅଞ୍ଚଳର ଅନେକ ପରିବାରଙ୍କ ଜୀବିକାର ମୁଖ୍ୟ ଆଧାର ଥିଲା। ଧାନ ଓ ହଳଦୀ ଚାଷ ସହ ପନିପରିବା ଉତ୍ପାଦନ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀମାନେ ଏବେ ଜୀବିକା ହରାଇ ଗଭୀର ସଙ୍କଟରେ ପଡ଼ିଛନ୍ତି। ଫସଲ କ୍ଷତି ସହ ଜମିର ଉର୍ବରତା ଓ ଚାଷ ଉପଯୋଗୀ ସ୍ଥିତି ଫେରାଇ ଆଣିବା ଏବେ ସେମାନଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି। ବାତ୍ୟା ପରବର୍ତ୍ତୀ ଏହି ଦୁର୍ଦ୍ଦଶାରୁ ଚାଷୀ ପରିବାର କିପରି ମୁକୁଳିବେ, ତାହା ଏବେ ଚିନ୍ତାର ବିଷୟ। ତେଣୁ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳର ତୁରନ୍ତ କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ, ଫସଲ କ୍ଷୟକ୍ଷତିର ଆକଳନ ଏବଂ ଚାଷ ଜମିରୁ ବାଲି, ମାଟି ଓ ପଙ୍କ ହଟାଇବା ପାଇଁ ଆବଶ୍ୟକ ସହାୟତା ସହ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି।
