ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ ଜୟି ରାଜଗୁରୁଙ୍କୁ କହିଲେ ଅତୁ୍ୟକ୍ତି ହେବନାହିଁ । କାରଣ ଆଜି ଯେଉଁ ଦଳ ଆମଦେଶର ସ୍ୱାଧୀନତା ଆଣିଛି ବୋଲି ପ୍ରସିଦ୍ଧ ହୋଇଛି, ତାହା ଜୟି ରାଜଗୁରୁଙ୍କ ଧରାଧାମରୁ ବିଦାୟର ବହୁପରେ ୧୮୮୫ ଖ୍ରୀଷ୍ଟାବ୍ଦରେ ଅଲ୍ଲାନ୍ ଅକ୍ଟାଭିୟାନ୍ ହୁ୍ୟମ୍ଙ୍କ ନେତୃତ୍ୱରେ “ଭାରତୀୟ ଜାତୀୟ କଂଗ୍ରେସ” ନାଁରେ ଗଠନ କରାଯାଇଥିଲା । ଏହାପୂର୍ବରୁ ବ୍ରିଟିଶ ବିରୁଦ୍ଧରେ ଅନେକ ଯୁଦ୍ଧ ଆମଦେଶରେ ଅନେକ ସ୍ୱାଧୀନମନା ସ୍ୱାଭିମାନୀ ଯୋଦ୍ଧା, ରାଜା ଓ ମହାରାଜା ଏପରି ସଂଗ୍ରାମ ଲଢି ନିଜର ପ୍ରାଣବଳି ଦେଇଛନ୍ତି ।
ଯେହେତୁ ଆମର ସ୍ୱାଧୀନତା ପାଇବାର ଦେଢଶହ ବର୍ଷପୂର୍ବରୁ ଜୟି ରାଜଗୁରୁ ନିଜର ବିଦୋ୍ରହର ବିଜ ବପନ କରି ଶେଷରେ ସ୍ୱାଧୀନତାର ଶହେ ଏକଚାଳିଶ ବର୍ଷ ପୂର୍ବରୁ ଅଂଗ୍ରେଜମାନଙ୍କ ଦ୍ୱାରା ସହିଦ ହେଲେ, ସେଥିପାଇଁ ଅନେକ ଇତିହାସକାର ଜୟି ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ ହିସାବରେ ମାନ୍ୟତା ଦିଅନ୍ତି । ଜୟି ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁ ମିଶି ୧୮୦୪ ଖ୍ରୀଷ୍ଟାବ୍ଦରେ ପାଇକ ବିଦୋ୍ରହର ମୂଳଦୁଆ ପକେଇଲେ । ୧୮୦୬ ଖ୍ରୀଷ୍ଟାବ୍ଦର ଶେଷମାସରେ ପ୍ରଥମ ସପ୍ତାହରେ ଜୟି ରାଜଗୁରୁ ସହିଦ ହେଲେ ମଧ୍ୟ ପାଇକମାନେ ୧୮୨୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସଂଗଠିତ ଭାବରେ ଅଂଗ୍ରେଜମାନଙ୍କ ସହ ସଂଗ୍ରାମ କରି ନିଜର ସ୍ୱାଧୀନ ମନୋଭାବର ପରିଚୟ ସାରାଦେଶକୁ ଦେଇ ଚାଲିଥିଲେ । ଯଦିଓ ବ୍ରିଟିଶ କମ୍ପାନୀ ୧୭୫୭ ଖ୍ରୀଷ୍ଟାବ୍ଦରେ ବଙ୍ଗଳା ଅଧିକାର କରିସାରିଥିଲେ, ଓଡିଶାରେ ତାଙ୍କର କାୟା ବିସ୍ତାର କରିବାକୁ ସେମାନେ ଅଧିକ ୪୬ବର୍ଷ ନେଲେ ।
ବହୁତ ରକ୍ତାକ୍ତ ସଂଘର୍ଷ ଏବଂ ଛଳ କପଟର ସାହାରା ନେଇ ମରାଠାମାନଙ୍କ ଠାରୁ ୧୮୦୩ ଖ୍ରୀଷ୍ଟାବ୍ଦରେ ସେମାନେ ଓଡିଶା ଛଡାଇନେଲେ । ସେତିକି ବେଳକୁ ଜୟି ରାଜଗୁରୁଙ୍କର ଯଶ କୀର୍ତ୍ତି ଏବଂ ଅମାପ କ୍ଷମତାର ପ୍ରଚାର ପ୍ରସାର ସାରାଦେଶରେ ହୋଇ ସାରିଥିଲା । ତାଙ୍କର ମାତ୍ର ସତଷଠି ବର୍ଷର ଜୀବନକାଳ ୧୭୩୯ ଖ୍ରୀଷ୍ଟାବ୍ଦରୁ ୧୮୦୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ଖ୍ରୀଷ୍ଟାବ୍ଦ ୧୮୦୩ରୁ ଖ୍ରୀଷ୍ଟାବ୍ଦ ୧୮୦୬ ପର୍ଯ୍ୟନ୍ତ ବ୍ରିଟିଶ ଲୋକମାନଙ୍କ ଅସହ୍ୟ ଅତ୍ୟାଚାର ଏବଂ ଦମନଶିଳ ବିସ୍ତାରବାଦୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ୧୮୦୬ ଡିସେମ୍ବର ମାସ ୬ତାରିଖରେ ସାଧାରଣଲୋକଙ୍କ ଉପସ୍ଥିତି ସହ ଦିବାଲୋକରେ ବ୍ରିଟିଶମାନେ ତାଙ୍କୁ ଯେଉଁଭଳି ବର୍ବରତାପୂର୍ଣ୍ଣ ଅତି ଯନ୍ତ୍ରଣାଦାୟକ ଉପାୟରେ ସହିଦ କଲେ ତାହା ଇତିହାସ ପୃଷ୍ଠାରେ ନା ପୂର୍ବରୁ କିଏ କରିଥିଲା କି ଆଗକୁ କିଏ ଏପରି କରିବାକୁ ଚିନ୍ତା କରିବ । ଅଂଗ୍ରେଜଙ୍କର ଏକାମାତ୍ର ଉଦେ୍ଦଶ୍ୟ ଥିଲା ଏଭଳି ମୃତୁ୍ୟକୁ ଲୋକମାନେ ନିଜଆଖିରେ ଦେଖିଲେ ଆଉ କେହି କେବେ ଭବିଷ୍ୟତରେ ସେମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପୂର୍ବରୁ ହଜାର ଥର ଭାବିବାକୁ ବାଧ୍ୟ ହେବେ ।
ସେ ଥିଲେ ଖୋର୍ଦ୍ଧାଗଡ ରାଜ ପରିବାରଙ୍କର କୁଳଗୁରୁ । ଏହାଥିଲା ତାଙ୍କର କୌଳିକ ବୃତ୍ତି । ତାଙ୍କ ପିତା ଚାନ୍ଦ ରାଜଗୁରୁ ପୁରୀରାଜା ବିର କିଶୋର ଦେବଙ୍କ ପ୍ରାସାଦରେ ରାଜଗୁରୁ କାମ ତୁଲାଇଥିଲେ । ଜେଜବାପା ଗଦାଧର ରାଜଗୁରୁ ସେ କାଳରେ ଜଣେ ବିଶିଷ୍ଟ ଶାସ୍ତ୍ରଜ୍ଞ ହିସାବରେ ସାରାଦେଶରେ ଖ୍ୟାତି ଅର୍ଜନ କରିଥିଲେ । ସେ ପ୍ରାୟ ଓଡିଆ ଏବଂ ସଂସ୍କୃତ ଭଷାରେ ଅଠରଖଣ୍ଡ ବହି ଲେଖି ଯାଇଛନ୍ତି । ଜୟି ରାଜଗୁରୁଙ୍କର ମାତା ହାରାମଣି ଦେବି ତାଙ୍କର ଶୈଶବ କାଳରେ ଯେଉଁସବୁ ସଂସ୍କାରପୂର୍ଣ୍ଣ ନୀତିଶିକ୍ଷା ଦେଇଥିଲେ ସେଥିପାଇଁ ସିଏ ନିଜ ଜୀବନରେ ସତ୍ୟବାଦୀ, ସାହସୀ ଏବଂ ଅଲୌକିକ ରାଷ୍ଟ୍ରପ୍ରେମର ଏକ ବିରଳ ଉଦାହରଣ ସୃଷ୍ଟି କରିବାକୁ ସମର୍ଥ ହେବା ସହ ଆଜି ବିଶ୍ୱବିଖ୍ୟାତ ହୋଇ ପାରିଛନ୍ତି । ତକôାଳୀନ ରାଜା ଦ୍ୱିତୀୟ ମୁକୁନ୍ଦଦେବ ରାଜକାର୍ଯ୍ୟରେ ଅନଭିଜ୍ଞ ଥିବା ହେତୁ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ଏବଂ ସମାଧାନ କରିବା ପାଇଁ ଜୟି ରାଜଗୁରୁଙ୍କ ଉପଦେଶ ସେ ଆଦରର ସହ ଗ୍ରହଣ କରୁଥିଲେ । ଜୟି ରାଜଗୁରୁଙ୍କ କ୍ଷମତା କାହାକୁ ଅଛପା ନଥିଲା ।
ତେଣୁ ଅଂଗ୍ରେଜମାନେ ରାଜାଙ୍କୁ ଛାଡି ଜୟି ରାଜଗୁରୁଙ୍କୁ ତାଙ୍କର ପ୍ରଧାନ ଏବଂ ସବୁଠାରୁ ବଡଶତ୍ରୁ ବୋଲି ବିବେଚନା କରୁଥିଲେ । ଇତିହାସ ଅନୁସାରେ ୧୧୯୨ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ତିରୋରୀ ଯୁଦ୍ଧରେ ଭାରତର ଶେଷ ହିନ୍ଦୁ ରାଜା ପୃଥ୍ୱୀରାଜ ଚୌହାନ ପରାଜିତ ହୋଇ ମୃତୁ୍ୟ ବରଣ କରିବା ପରେ ଭାରତର ଦୁର୍ଦ୍ଦିନ ଆରମ୍ଭ ହୋଇଗଲା । ସେହି ଦିନଠାରୁ ଜଣଙ୍କ ପରେ ଜଣେ ଆମ ସୁନାର ପକ୍ଷୀ କୁହାଯାଉଥିବା ଭାରତକୁ ଆସି ଧନରତ୍ନ ବୋହି ଆମ ମାତୃଭୂମିକୁ କାଙ୍ଗାଳ କରିବାକୁ ଲାଗିଲେ । ପ୍ରଥମେ ଶକ, ହୁଣ, କୁଶାଣ, ମୁସଲମାନ, ମୋଗଲ ଗୋଟିକ ପରେ ଗୋଟିଏ ଆସି ଏମାଟିକୁ ଲକ୍ଷ୍ମୀଛଡା କରିଦେଲେ । ମୋଗଲ ଶାସନର ପତନ ପରେ ପରେ ପର୍ତ୍ତୁଗୀଜ, ଓଲନ୍ଦାଜ୍, ଦିନାମାର୍, ଫରାସୀ ଆସି ଅଳ୍ପଅଳ୍ପ ବର୍ଷ ସେମାନଙ୍କର ଭଣ୍ଡାରିକରଣ ଭୋକ ମରିବା ଯାଏ ଲୁଟିଲେ । ପରିଶେଷରେ ଆସିଲେ ନୃଶଂସ ଅଂଗ୍ରେଜମାନେ ।
ଗୋଟିଏ ବ୍ୟବସାୟୀ ଜାତି ହିସାବରେ ସେମାନେ ବେପାର ଆଳରେ ପ୍ରଥମେ ଆମଦେଶକୁ ଆସି ଆମ ରାଜା ଓ ଜମିଦାରମାନଙ୍କ ଭିତରେ ଐକ୍ୟତାର ଘୋର ଅଭାବକୁ ଅତି ଚତୁରତାର ସହ ଲକ୍ଷ କଲେ । ପ୍ରଥମ ଉଦେ୍ଦଶ୍ୟ ଥିଲା ଆମଦେଶର ଟଙ୍କାସୁନା ଲୁଟିବା, କିନ୍ତୁ ପରେ ସେମାନଙ୍କୁ ଲାଗିଲା ଏଠାରେ ଦେଶଦୋ୍ରହୀମାନଙ୍କ ସଂଖ୍ୟା ବେଶୀ । ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ଧିରେଧିରେ ଶାସନ କ୍ଷମତା ଗୋଟିକ ପରେ ଗୋଟିଏ ନିଜ ହାତକୁ ନେବାକୁ ବସିଲେ । ଏଥିରେ କିଛି ରାଜାଙ୍କର ମନ୍ତ୍ରୀ, ଭାଇ, ଦିୱାନ, ପୁତୁରା ଆଦି ଅଂଗ୍ରେଜମାନଙ୍କ ସହାୟତାରେ ରାଜଗାଦି ଉପଭୋଗ କରିବା ଲାଳସାରେ ନିଜଲୋକଙ୍କ ସାଙ୍ଗରେ ଗରଦାରୀ କଲେ । ରାଜ୍ୟର ଗୁପ୍ତତଥ୍ୟ ଅଂଗ୍ରେଜଙ୍କୁ ପ୍ରଦାନ କରି ତାଙ୍କର ଛଳକପଟରେ ଅଂଗ୍ରେଜ ଅଧିକାରୀଙ୍କ ସହ ସାମିଲ ହୋଇଗଲେ । ଗୃହଭେଦୀ ବିଭୀଷଣମାନେ ଅନେକଜାଗାରେ ସଫଳ ହେବାରୁ ଗୋଟିଏ ପରେ ଗୋଟିଏ ରାଜପ୍ରାସାଦ ଅଂଗ୍ରେଜଙ୍କ ଅକ୍ତିଆରକୁ ଆସିବାକୁ ଲାଗିଲା । ଧିରେଧିରେ ଏମିତି ଅଂଗ୍ରେଜମାନେ ଶକ୍ତିଶାଳୀ ହୋଇ ଖୋର୍ଦ୍ଧାଗଡ ଉପରେ ନଜର ପକେଇଲେ ।
ଜୟି ରାଜଗୁରୁଙ୍କର ପ୍ରକୃତ ନାଁ ଥିଲା ଜୟକୃଷ୍ଣ ମହାପାତ୍ର । ସେ ୧୭୩୯ଖ୍ରୀଷ୍ଟାବ୍ଦ କାର୍ତ୍ତିକ ମାସ ନବମୀ ( ଅଅଁଳା ନବମୀ) ତିଥି, ଯାହାକି ଅଂଗ୍ରେଜ ପାଞ୍ଜିଗଣନା ଅନୁସାରେ ଅକ୍ଟୋବର ୨୯,୧୭୩୯ ଦିନ ପୁରୀ ସହର ଉପକଣ୍ଠର ବିର ହରେକୃଷ୍ଣପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ଯେତେବେଳେ ୪୧ବର୍ଷ, ଅର୍ଥାତ୍ ୧୭୮୦ରେ ସେ ଖୋର୍ଦ୍ଧାଗଡର ରାଜପ୍ରାସାଦରେ ରାଜଗୁରୁ ପଦରେ ଅଭିଷିକ୍ତ ହେଲେ । ତାପରେ ସେ ରାଜଗୁରୁ ଉପାଧିରେ ଭୂଷିତ ହେଲେ ଏବଂ ସେବେଠାରୁ ଜୟି ରାଜଗୁରୁ ନାମରେ ବିଖ୍ୟାତ ହେବାକୁ ଲାଗିଲେ । ସେତେବେଳେ ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କର ବାଲ୍ୟାବସ୍ଥା । ଜୟି ରାଜଗୁରୁଙ୍କର ରାଜନୀତିରେ ଗଭିର ଜ୍ଞାନ ସହ ପୁରାଣ ଶାସ୍ତ୍ର ଓ ବେଦ ଉପନିଷଦ ତଥା ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିବା ହେତୁ ଯଦିଓ ଦ୍ୱିତୀୟ ମୁକୁନ୍ଦ ଦେବ ରାଜ ସିଂହାସନ ଅଳଂକୃତ କରୁଥିଲେ, ପ୍ରକୃତ ରାଜକାର୍ଯ୍ୟ ଜୟି ରାଜଗୁରୁ ହିଁ ଚଳାଉଥିଲେ । ଏତିକିବେଳକୁ ଅଂଗ୍ରେଜଙ୍କର ଲୋଲୁପ ଦୃଷ୍ଟି ଖୋର୍ଦ୍ଧାଗଡ ରାଜାଙ୍କ ସମ୍ପତ୍ତି ଉପରେ ପଡିଲା ।
ତାର ମୁଖ୍ୟ କାରଣ ହେଲା ସେତେବେଳେ ଆମ ରାଜ୍ୟର ସମସ୍ତ ମନ୍ଦିରଗୁଡିକ ନାଁରେ ବହୁତ ସ୍ୱର୍ଣ୍ଣମୂଦ୍ରା ଏବଂ ଜମିଜୁମା ଗଚ୍ଛିତ ରହୁଥିଲା । ପୁରୀ ଜଗନ୍ନାଥ ଧାମକୁ ଦେଖିଲେ ଧନଲୋଭି ବଣିକ ସମାଜ କେମିତି ବା ଆକୃଷ୍ଟ ନହେବେ! ପ୍ରଥମେ ଅଂଗ୍ରେଜ ହାକିମ ସବୁ ଛୋଟବଡ ରାଜାଙ୍କୁ ସମନ ଜାରିକଲେ ଯେ ସମସ୍ତେ ଅଂଗ୍ରେଜ ଶାସନର ଆଇନ କାନୁନ ମାନିବା ସହ କର ଦେବାକୁ ବାଧ୍ୟ ହେବେ । କିଛିଦିନ ପୂର୍ବରୁ କିଛି ଅଂଚଳ ସହିତ ଜଗନ୍ନାଥ ପୁରୀ ମନ୍ଦିର ମରାଠା ଶାସକଙ୍କ ହାତକୁ ଚାଲିଯାଇଥିଲା । ତେଣୁ ଅଂଗ୍ରେଜ ଶାସକ ଚାଲାକ କରି ରାଜାଙ୍କ ସହ ଏକ ଚୁକ୍ତିପତ୍ର କରିବାକୁ ଆଗ୍ରହ ପ୍ରକାଶକଲେ । ସେହି ଚୁକ୍ତିନାମା ଅନୁସାରେ ନିମ୍ନଲିଖିତ ତିନୋଟି କଥା ଅଂଗ୍ରେଜମାନେ ପାଳନ କରିବେ ଏବଂ ପ୍ରତିବଦଳରେ ସେମାନେ ଖୋର୍ଦ୍ଧାଗଡରେ ବେପାର ବଣିଜ କେନ୍ଦ୍ରମାନ ଖୋଲି ବସତି ସ୍ଥାପନ କରି ପାରିବେ । ସେହି ତିନୋଟି ସର୍ତ୍ତ ହେଲା
୧. ବ୍ରିଟିଶ କମ୍ପାନୀ ଏହି ବାବଦକୁ ରାଜାଙ୍କୁ ଲକ୍ଷଟଙ୍କା ପ୍ରଦାନ କରିବ ।
୨. ଯେଉଁ ଚାରୋଟିପ୍ରଗଣା ମରାଠା ଶାସକଙ୍କ ହାତକୁ ଚାଲି ଯାଇଛି, ତାହା କମ୍ପାନୀର ପ୍ରଚେଷ୍ଟାରେ ରାଜା ଫେରିପାଇବେ ।
୩. ମରାଠାମାନଙ୍କ ହାତରୁ ପୁରୀ ମନ୍ଦିରର ସତ୍ତ୍ୱାଧିକାର ଛଡେଇ ରାଜାଙ୍କୁ ଦେବା ଦାୟିତ୍ୱ ବ୍ରିଟିଶ କମ୍ପାନୀର ରହିବ ।
କପଟି ଅଂଗ୍ରେଜ ଅଧିକାରୀ ହାରକୋଟ୍ଙ୍କ ହୃଦୟରେ ଏହା କେବଳ ଛଳନାଭରା ଚୁକ୍ତିନାମା ଥିଲା ବୋଲି ଜାଣି ଜୟି ରାଜଗୁରୁ ରାଜାଙ୍କୁ ଏହି ଚୁକ୍ତିନାମାରେ ସ୍ୱାକ୍ଷର ନକରିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ଏଥିରେ କିଛି ସୁଫଳ ମିଳି ନଥିଲା । ପ୍ରଥମଥର ପାଇଁ ଜୟି ରାଜଗୁରୁଙ୍କର ଅନିଚ୍ଛା ସତ୍ତ୍ୱେ ସଭାଷଦବର୍ଗଙ୍କ ପ୍ରରୋଚନାରେ କେବଳ ପୁରୀ ଜଗନ୍ନାଥ ମନ୍ଦିର ଏବଂ ସେହି ଚାରୋଟି ପ୍ରଗଣା ଲୋଭରେ ରାଜା ସେଥିରେ ହସ୍ତାକ୍ଷର କରିଦେଲେ । ଅଂଗ୍ରେଜମାନେ ଖୋର୍ଦ୍ଧାରେ ପଶିଲେ ଏବଂ ପରେ ଲକ୍ଷଟଙ୍କା ଜାଗାରେ ମାତ୍ର ଦଶ ହଜାର ଟଙ୍କା ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ମିଳିଲା । ସେତେବେଳେ ଏହି ସବୁ ନେଣଦେଣ କାରବାର କଟକ ବାରବାଟି କିଲ୍ଲା ଭିତରେ ଚାଲୁଥିଲା ।
ଖୋର୍ଦ୍ଧାଗଡ ନିଜ ଅକ୍ତିଆରକୁ ନେଇସାରିବା ପରେ ବ୍ରିଟିଶ କମ୍ପାନୀର କୌଣସି ଅଧିକାରୀ ଆଉ ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କର କଥାକୁ ଖାତିର କଲେନି । ପ୍ରଥମେ ପୁରୀ ହିଁ ରାଜଧାନୀ ଥିଲା, ତାପରେ ଏହା କଟକକୁ ସ୍ଥାନାନ୍ତରିତ କରାଗଲା । ସେତେବେଳର ୱେଲସି ନାମ୍ନୀ ଜନୈକ ଅଂଗ୍ରେଜ ଅଧିକାରୀ କହିଲେ କଟକରୁ ମାଡ୍ରାସ ସିଧା ସଂମ୍ବାଦ ହେବାକୁ ହେଲେ ଆମକୁ ସମ୍ପୂର୍ଣ୍ଣ କଟକ ଦରକାର । ରାଜା ଜାଣିଲେ ଯେ ସେ ବ୍ରିଟିଶକମ୍ପାନୀ ପାଖରେ ଏବେ ସମ୍ପୂର୍ଣ୍ଣ ଭାବରେ ଫଶି ସାରିଛନ୍ତି । ଏବେ ତାଙ୍କ ପାଖରେ ସମର୍ପଣ ଛଡା ଆଉ କିଛି ଉପାୟ ନାହିଁ । ସେତେବେଳେ ଜୟି ରାଜଗୁରୁ ରାଜାଙ୍କୁ ସାନ୍ତ୍ୱନା ଦେଇ ଦୁଇହଜାର ସୈନିକଙ୍କ ସହ କଟକ ଆସି ହାରକୋଟ୍ଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କଲେ ।
ସେଥିରେ କରବ୍ୟବସ୍ଥା ବିପକ୍ଷରେ ଏବଂ ଚୁକ୍ତି ମୁତାବକ ସେ ଚାରୋଟି ପ୍ରଗଣାକୁ ରାଜାଙ୍କ ଅଧୀନକୁ ତୁରନ୍ତ ହସ୍ତାନ୍ତର କରାଯାଉ ବୋଲି କିଛି ସମ୍ବାଦ ଲେଖାଥିଲା । ହାରକୋଟ୍ ଏଥିରେ କ୍ଷ୍ୁବ୍ଧ ହୋଇ ରାଜାଙ୍କୁ ଇଂଚେ ବି ଭୂମି ଦେଇହେବନି ବୋଲି କହି ନିରାଶପୂର୍ଣ୍ଣ ଦୁର୍ବ୍ୟବହାର ସହ ଅପଦସ୍ତ କରି ଫେରାଇଦେଲେ । ଜୟି ରାଜଗୁରୁ ସେଠାରୁ ପ୍ରତ୍ୟାବର୍ତ୍ତନ କରି ରାଜାଙ୍କୁ ସବୁ କଥା କହିଲେ ଏବଂ ତାଙ୍କର ସେହି ଉପଦେଶ ଅବମାନନା କରି ଏବେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମନେ ପକେଇଦେଲେ । ରାଜା ଏଥିରେ ମର୍ମାହତ ହୋଇ ନିଜର ଭୁଲ୍ ବୁଝିପାରିଲେ, ହେଲେ ସୁଧାରିବା ପାଇଁ କିଛି ଉପାୟ ତାଙ୍କ ମୁଣ୍ଡରେ ଜୁଟୁ ନଥିଲା । ଜୟି ରାଜଗୁରୁ ପାଇକମାନଙ୍କୁ ମେଳିକରି ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ପ୍ରତିଜ୍ଞା କରିବାର ଏହାହିଁ ପ୍ରଥମ ଏବଂ ବଡକାରଣ ଥିଲା ।
ସେତେବେଳର କିଛି ପୋଥି ଅନୁସାରେ ଜୟି ରାଜଗୁର ଯେ କେବଳ ଜଣେ ବିଜ୍ଞ ବିଚକ୍ଷଣ ରାଜନୀତି ବିଷାରଦ ଥିଲେ ତା ନୁହେଁ, ସେ ଅନନ୍ୟ ଯୋଦ୍ଧା ଏବଂ ନାନାବିଦ୍ଧ ଯୁଦ୍ଧ କୌଶଳରେ ମଧ୍ୟ ନିପୁଣ ଥିଲେ । ପରଂପରାଗତ ଧନୁତୀର ଏବଂ ବର୍ଚ୍ଛାଯୁଦ୍ଧ କୌଶଳ ସହ ଗରିଲା ଯୁଦ୍ଧ ଏବଂ ଅନାନ୍ୟ କିଛି ଉପାୟରେ ସେ ଅଂଗ୍ରେଜମାନଙ୍କ ସହ ଅନେକ ଯୁଦ୍ଧ ଲଢିଛନ୍ତି । ମହାନଦୀ କୂଳରେ ୧୮୦୪ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ ମାନଙ୍କ ସହ ଏକ ଭୀଷଣ ସଂଘର୍ଷ କରି ପାଇକମାନଙ୍କ ପରାକାଷ୍ଠା ଦେଖାଇଥିଲେ । ତାପରେ ପରେ ଅନେକ ଜାଗାରେ ଅଂଗ୍ରେଜମାନଙ୍କ ସହ ମୁହଁମୁହିଁ ହୋଇଥିଲା । ହାରକୋର୍ଟ ପାଇକମାନଙ୍କ ଭୟରେ ମାଡ୍ରାସରୁ ଅନେକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ମଗାଇ ଦେଲେ ।
ଜୟି ରାଜଗୁରୁଙ୍କର ପ୍ରତ୍ୟକ୍ଷ ନେତୃତ୍ୱରେ ଖୋର୍ଦ୍ଧାର ବରୁଣେଇ ପାହାଡ ତଳେ ସେ ଅଂଗ୍ରେଜ ଫୌଜସହ ଶେଷ ଯୁଦ୍ଧ ଲଢି ପ୍ରାୟ ସାତହଜାର ସୈନିକଙ୍କୁ ଚକମା ଦେଇଥିଲେ । ତାପରେ ବ୍ରିଟିଶ ଅଧିକାରୀମାନେ ବିଭାଜନ କରି ଶାସନ କରିବା ( ଊସଙ୍ଖସୟର ବଦ୍ଭୟ ଜଙ୍କକ୍ଷର ) ପ୍ରଣାଳି ଆପଣେଇ ନିଜ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ନିଷ୍ପତି ନେଲେ । ଅଂଗ୍ରେଜମାନେ ସେତେବେଳେ ନିଜ ପାଖରେ ବହୁତ ଗୁପ୍ତଚର ରଖୁଥିଲେ । ପ୍ରଥମରୁ ତ ସେମାନେ ଖୋର୍ଦ୍ଧାର ପ୍ରତ୍ୟେକ ଗାଁ ଗହଳିରେ ବି ନିଜର କରଆଦାୟ କାରୀ ନିଯୁକ୍ତ କରି ସାରିଥାନ୍ତି । ତେଣୁ ଜୟି ରାଜଗୁରୁ ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିବାକୁ ଗୁପ୍ତ ସଭାମାନ କରିବାକୁ ଉପଯୁକ୍ତ ପରିବେଶ ଜୁଟାଇ ପାରୁନଥାନ୍ତି ।
ପରିଶେଷରେ ଅନନ୍ତଜୀ ନାୟକ ନାମ୍ନୀ ନାଗପୁରର ଏକ ରାଜାସହ ଗୁପ୍ତ ବୁଝାମଣା କରିବାକୁ ବହୁଦିନ ପରେ ସମର୍ଥ ହେଲେ । ସେ ଏକ ହଜାର ଘୋଡା ଏବଂ ବନ୍ଧୁକ ସହ କିଛି ସୈନ୍ୟ ସାହାଯ୍ୟ କରିବା କଥା ଦେଇ ଫେରିଲା ବେଳକୁ ଅଂଗ୍ରେଜ ହାତରେ ଧରା ପଡିଗଲେ । ସବୁ ଗୁପ୍ତ ତଥ୍ୟ ପ୍ରଘଟ ହୋଇଯିବା ପରେ ଜୟି ରାଜଗୁରୁଙ୍କ ଯୋଜନା କାର୍ଯ୍ୟକାରୀ କରିବା ଆଉ ସମ୍ଭବ ହେଲାନାହିଁ । ସେ ସ୍ଥାନୀୟ ପାଇକମାନଙ୍କୁ ସଂଗଠିତ କରି ଗୋଟିଏ ଛୋଟ ସେନାବାହିନି ଗଠନ କଲେ । ଡଁପଡା, ବାଣପୁର, ଡେଲାଙ୍ଗ ଓ ତାରଟୁଆ ପରି କିଛି ଜାଗାରେ ଗୁପ୍ତ ଭାବରେ ସୈନ୍ୟ ଛାଉଣୀ ତିଆରି କରି ତାଙ୍କୁ ଯୁଦ୍ଧ କୌଶଳମାନ ଶିଖାଇଲେ ।
ପରେ କନିକା ଓ କୁଜଙ୍ଗ ରାଜାଙ୍କ ସହ ବିଷ୍ଣୁପୁର, ହାରିଦାଶପୁର, ମାରିଚପୁରର ଜମିଦାରମାନେ ସମ୍ଭୁ ଭାରତୀ ନାମକ ଏକ ମଧ୍ୟସ୍ଥି ମାଧ୍ୟମରେ ରାଜା ମୁକୁନ୍ଦଦେବଙ୍କ ସହ ଯୁଦ୍ଧ କରିବାକୁ ଗୁପ୍ତସନ୍ଧିରେ ସ୍ୱାକ୍ଷର କଲେ । କିନ୍ତୁ ଏକଦା ସମ୍ଭୁ ଭାରତୀ ଏପରି ଏକ ଗୁପ୍ତସନ୍ଧି କରି ରାଜାଙ୍କ ପାଖକୁ ଫେରିବା ବାଟରେ ଅଂଗ୍ରେଜ ମାନଙ୍କ ଦ୍ୱାରା ଗିରଫ ହୋଇଗଲେ । ସେତେବେଳେ ଯାତାୟତ ମାଧ୍ୟମ ଆଜିକାଲି ପରି ଏତେ ଭଲ ନଥିଲା । ଗୋଟିଏ ଜାଗାରୁ ଅନ୍ୟଜାଗାକୁ ଚାଲିଚାଲି ଯିବାବେଳେ ଗୁପ୍ତଚରମାନେ ଖବର ପାଇଯାଉଥିଲେ । ସମ୍ଭୁ ଭାରତୀଙ୍କୁ ମାରଧର କରି ଜୟି ରାଜଗୁରୁଙ୍କର ପୁରା ଯୋଜନା ବିଷୟରେ ଅଂଗ୍ରେଜମାନେ ଜାଣିବାକୁ ପାଇଗଲେ ।
ହାରକୋର୍ଟ ଏସବୁ ଖବର ବିସ୍ତୃତ ଭାବରେ ଜାଣିଲା ପରେ ରାଜା ମୁକୁନ୍ଦ ଦେବଙ୍କ ପାଖକୁ ତାଙ୍କର ଜଣେ ଦୂତକୁ ପଠାଇ ତାଙ୍କର ଗୁପ୍ତ ସନେ୍ଦଶ ଦେଲେ ଯେ ସେ ଯଦି ଜୟି ରାଜଗୁରୁଙ୍କୁ ସେବାନିବୃତ କରି ତାଙ୍କ ନିକଟରେ ସମର୍ପଣ କରିବେ ତେବେ ଏହି ବାବଦକୁ ତାଙ୍କୁ ଚାଳିଶହଜାର ଟଙ୍କା ଦିଆଯିବ । ଏଥିରେ ରାଜା ରାଜି ହେଲେନି ।
କିଛିଦିନ ପରେ ହାରକୋଟ୍ ଆଉ ଏକ ଚାଲାକ କରି କୌଣସି ଏକ ଅତି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାପାଇଁ କଟକ ବାରବାଟିକୁ କେବଳ ଜୟି ରାଜଗୁରୁଙ୍କୁ ପଠାଇବାପାଇଁ ଅନୁରୋଧ ପତ୍ର ପ୍ରେରଣ କଲେ । କିନ୍ତୁ ଏଥିରେ ବି ବିଫଳ ହେବାପରେ ଅଂଗ୍ରେଜମାନେ ଜାଣିଗଲେ ରାଜାଙ୍କର ସବୁ ନିଷ୍ପତି ମୂଳରେ ଜୟି ରାଜଗୁରୁ ହିଁ ଅଛନ୍ତି । ୧୮୦୪ ଖ୍ରୀଷ୍ଟାବ୍ଦ ଡିସେମ୍ବର ୭ ତାରିଖରେ ବ୍ରିଟିଶ ଓଡିଶା ତରଫରୁ ଏକ ଘୋଷଣାନାମା ରାଜାଙ୍କ ପାଖକୁ ପଠାଗଲା । ସେଥିରେ ଲେଖାଥିଲା ଯେ ଅଂଗ୍ରେଜମାନଙ୍କୁ ଅସମ୍ମାନ କରିଥିବା ହେତୁ ୧୮୦୪ ଖ୍ରୀଷ୍ଟାବ୍ଦ ଡିସେମ୍ବର ୫ତାରିଖ ଠାରୁ ତାଙ୍କର ରାଜପଦକୁ ଅସ୍ୱୀକାର କରାଗଲା । ଏବେ ଖୋର୍ଦ୍ଧାଗଡର ଶାସନ ଭାର ବ୍ରିଟିଶ ଓଡିଶା ହାତରେ ରହିବ । ଏହାପରେ ବ୍ରିଟିଶ ଓ ପାଇକମାନଙ୍କ ଭିତରେ ଟାଙ୍ଗୀଆପଡା, ଗଙ୍ଗପଡା ଆଦି ଜାଗାରେ ଭୀଷଣ ଯୁଦ୍ଧ ହେଲା ।
ପାଇକମାନଙ୍କ ସଂଖ୍ୟା ଶହେରୁ ଦେଢଶହ ଏବଂ ହାତରେ ଧନୁ ତୀର ଓ ବର୍ଚ୍ଛାକୁ ଅଂଗ୍ରେଜମାନଙ୍କ ପାଖରେ ବନ୍ଧୁକ ଓ ଆଧୁନିକ ଅସ୍ତ୍ର । ତଥାପି ଏପରି ତିନି ଚାରୋଟି ଯୁଦ୍ଧରେ ଅଂଗ୍ରେଜଙ୍କର ବହୁ ସୈନ୍ୟ ମରିଛନ୍ତି । ପରିଶେଷରେ ହାରକୋର୍ଟ, ହିକଲ୍ୟାଂଡ୍, ଷ୍ଟୋନର୍ ଓ ମେଜର୍ ଫ୍ଲେଚର୍ଙ୍କ ନେତୃତ୍ୱରେ ଖୋର୍ଦ୍ଧା କିଲ୍ଲାକୁ ଚତୁର୍ପାଶ୍ୱରୁ ଅଂଗ୍ରେଜମାନେ ଅତର୍କିତ ଆକ୍ରମଣ କଲେ । ଏ ଯୁଦ୍ଧ ଅବିରତ ଭାବରେ ତିନିଦିନ ଧରି ଚାଲିଲା ଏବଂ ମେଜର୍ ଫ୍ଲେଚର୍ଙ୍କ ଅତି ପ୍ରିୟ ପୁତୁରା ଯୁବାବସ୍ଥାରେ ଏହି ଯୁଦ୍ଧରେ ପ୍ରାଣ ହରାଇଲା । ବହୁସଂଖ୍ୟାରେ ବନ୍ଧୁକଧାରୀ ଅଂଗ୍ରେଜ ସୈନ୍ୟଙ୍କ ଆକ୍ରମଣକୁ ସାମ୍ନା କରିନପାରି ପାଇକମାନେ ଶେଷରେ ଛତ୍ରଭଙ୍ଗ ଦେଲେ । ରାଜା ପ୍ରଥମେ ମୁକୁନ୍ଦପ୍ରସାଦ ଗାଁରେ ଆତ୍ମଗୋପନ କରିଲେ ଏବଂ ପରେ ସେଠାରୁ ସେ ଘଂଚଅରଣ୍ୟ ଭିତରକୁ ପଳେଇ ହାରକୋର୍ଟଙ୍କ ପାଖକୁ ତାଙ୍କ ଓକିଲକୁ କଥାବାର୍ତ୍ତା କରିବାକୁ ପଠେଇଲେ । ଏଥର ହାରକୋର୍ଟ ଚାହିଁଲେ ଯେ ଆମ ସାଙ୍ଗରେ କଥା ହେବାକୁ ଯଦି ଜୟି ରାଜଗୁରୁ ଆସନ୍ତି ତେବେ ଆମେ ପ୍ରସ୍ତୁତ । ତାଙ୍କ ସହିତ କୌଣସି ପ୍ରକାରର ଶାରୀରିକ କି ମାନସିକ ଦୁର୍ବ୍ୟବହାର କରାଯିବ ନାହିଁ ବୋଲି କଥା ଦେଲେ । ଚାରିଆଡେ ଅଂଗ୍ରେଜମାନଙ୍କ ଦ୍ୱାରା କୋକୁଆ ଭୟ ପରି ବାତାବରଣ ଥିଲା ।
ରାଜା ଜଙ୍ଗଲରେ ଭୋକ ଉପାସରେ ଦିନ କାଟୁଥାନ୍ତି । ତେଣୁ ଏପରି ଏକ ଘଡିସନ୍ଦି ମୁହୂର୍ତ୍ତରେ ଅଂଗ୍ରେଜମାନଙ୍କର ଏପରି ସର୍ତ୍ତ ଆଗରେ ଜୟି ରାଜଗୁରୁ ନିଜର ଅସୀମ ତ୍ୟାଗ ଏବଂ ସାହସ ବଳରେ ଅଂଗ୍ରେଜଙ୍କ ସହ କଥା ହେବାପାଇଁ ରାଜି ହୋଇଗଲେ । ଏହି ଅବସରକୁ ସୁବର୍ଣ୍ଣ ସୁଯୋଗ ଭାବି ସେଦିନ ଜୟି ରାଜଗୁରୁ ତାଙ୍କ ଛାଉଣୀକୁ ଆସିବାରୁ, ହାରକୋର୍ଟ ତାଙ୍କୁ କିଛି କଥାବାର୍ତ୍ତା ନକରି ତୁରନ୍ତ ଗିରଫ କରିବାକୁ ନିଦେ୍ର୍ଦଶ ଦେଲେ । ତାପରେ ୧୮୦୫ ଖ୍ରୀଷ୍ଟାବ୍ଦ ଜାନୁୟାରୀ ୩ତାରିଖରେ ରାଜାଙ୍କୁ ଅଂଗ୍ରେଜମାନେ ଜଙ୍ଗଲରୁ ଗିରଫ କଲେ । ଅଂଗ୍ରେଜମାନେ କୁଜଙ୍ଗ ରାଜାଙ୍କୁ କେବଳ ଗାଦିଚୁ୍ୟତ କରି ଛାଡିଦେଲେ ଏବଂ କନିକା ରାଜା ଓ ମୁକୁନ୍ଦ ଦେବଙ୍କୁ ପଶ୍ଚିମ ବଙ୍ଗର ମେଦିନାପୁର ବନ୍ଦୀଗୃହକୁ ପଠେଇଦେଲେ । ଜୟି ରାଜଗୁରୁଙ୍କୁ ବହୁତ ଦିନ କଟକ ବାରବାଟି କିଲ୍ଲାଭିତରେ ରଖି ତାଙ୍କ ଉପରେ ଶାରୀରିକ ଓ ମାନସିକ ରୂପରେ ପ୍ରତିଦିନ ଅତ୍ୟାଚାର କରିବାକୁ ଲାଗିଲେ ।
ସମସ୍ତ ବନ୍ଦୀଙ୍କ ବିରୁଦ୍ଧରେ ନ୍ୟାୟାଳୟରେ କିଛିଦିନ ଅଭିଯୋଗର ଶୁଣାଣି ହେଲା । ସେତେବେଳେ ରାଜା ମୁକୁନ୍ଦ ଦେବ ନ୍ୟାୟାଳୟରେ ଏକ ଲିଖିତ ତଥ୍ୟ ଉପସ୍ଥାପନା କଲେ ଯେ ସେ ନିଜେ କିଛି କରିନାହାନ୍ତି କି ଅଂଗ୍ରେଜଶାସକଙ୍କ ବିରୁଦ୍ଧରେ କୌଣସି ବିଦୋ୍ରହର ସୂତ୍ରପାତରେ ଭାଗ ନେଇନାହାନ୍ତି । ଯାହା ସବୁକିଛି ହୋଇଛି ସେଥିପାଇଁ କେବଳ ଜୟି ରାଜଗୁରୁ ହିଁ ଦାୟି । ଜୟି ରାଜଗୁରୁ ହେଉଛନ୍ତି ସବୁ ଅଘଟଣର ମୂଳ କାରଣ । ଏହା ପ୍ରକୃତରେ ରାଜା ସ୍ୱଇଚ୍ଛାରେ ଲେଖିଥିଲେ କି ତାଙ୍କୁ ଏପରି ଲେଖିବାକୁ ବାଧ୍ୟ କରାଯାଇଥିଲା ତାହା ବି ଜାଣିବା ଏତେ ସହଜ ନୁହେଁ । ଯାହାହେଉ ପରେ କଟକ ବାରବାଟିରୁ ଜୟି ରାଜଗୁରୁଙ୍କୁ ମେଦିନାପୁର କାରାଗାରକୁ ସ୍ଥାନାନ୍ତରିତ କରି ନ୍ୟାୟାଳୟରେ ଯେତେବେଳେ ଏହି ଉକ୍ତିର ପ୍ରକୃତ ସତ୍ୟାସତ୍ୟ ଉପରେ ସ୍ପଷ୍ଟିକରଣ ମଗାଗଲା ସେ ନିର୍ଭିକତାର ସହ ନ୍ୟାୟାଧୀଶଙ୍କ ସମ୍ମୁଖରେ ପ୍ରକାଶ କଲେ ଯେ ସେ ହିଁ ପ୍ରଜାମେଳି ଏବଂ ସବୁ ଆନେ୍ଦାଳନର ପ୍ରକୃତ ସୂତ୍ରଧାର ।
ରାଜାଙ୍କର ଲିଖିତ ବୟାନ ସତ୍ୟ ଏବଂ ପ୍ରକୃତରେ ସେ ହିଁ ଅଂଗ୍ରେଜ ଶାସନ ବିରୁଦ୍ଧରେ ସମସ୍ତ ଅପକର୍ମ କରି ଦୋଷୀ ଏବଂ ରାଜା ମୁକୁନ୍ଦ ଦେବ ସମ୍ପୂର୍ଣ୍ଣ ସରଳ ଏବଂ ନିଦେ୍ର୍ଦାଷ, ଏସବୁ ବିଷୟରେ ରାଜା ସମ୍ପୂର୍ଣ୍ଣ ଅନଭିଜ୍ଞ । ଏହି ଘଟଣା ପରେ ରାଜା ଦ୍ୱତୀୟ ମୁକୁନ୍ଦ ଦେବଙ୍କୁ କାରାଗାରରୁ ମୁକ୍ତ କରି ପୁରୀ ପଠେଇ ଦିଆଗଲା । ମେଦିନାପୁରର ବାଗିତୋଟାରେ ଜୟି ରାଜଗୁରୁଙ୍କର ଶୁଣାଣି ଚାଲୁ ରହିଲା । ଶେଷରେ ନ୍ୟାୟାଳୟ ଦ୍ୱାରା ଜୟି ରାଜଗୁରୁ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ । ଏବେ ବି ନିର୍ଦ୍ଦୟ ଅଂଗ୍ରେଜ ଅଧିକାରୀଙ୍କ ମନ ଶାନ୍ତି ହୋଇ ନଥିଲା । ସେମାନେ ଜୟି ରାଜଗୁରୁଙ୍କ ମୃତୁ୍ୟ ସର୍ବସାଧାରଣରେ ଏବଂ ଦିବାଲୋକରେ ଆୟୋଜନ କରି ସମସ୍ତ ଦେଶପ୍ରେମୀଙ୍କୁ ଭୟଭୀତ କରିବାର ଏକ ଅଭିନବ ଉପାୟ ଚିନ୍ତା କଲେ । ୧୮୦୬ ଖ୍ରୀଷ୍ଟାବ୍ଦ ଡିସେମ୍ବର ୬ ତାରିଖରେ ବାଗିତୋଟାର ଗୋଟିଏ ବରଗଛର ଦୁଇଡାଳକୁ ଗୋଟିଏ ଦଉଡିରେ କଷିକି ବାନ୍ଧି ପ୍ରଥମେ ବଳପୂର୍ବକ ପାଖାପାଖି ଯୋଡିଦିଆଗଲା ।
ଜୟି ରାଜଗୁରୁଙ୍କୁ ସେହି ଡାଳଦ୍ୱୟର ମଝିରେ ରଖି ଦୁଇ ଗୋଡକୁ ଆଣ୍ଠୁଯାଏ ଦୁଇ ଭିନ୍ନଭିନ୍ନ ଡାଳରେ କଷିକି ବାନ୍ଧିଦେଲେ । ସେତେବେଳେ ଏ ଦୃଶ୍ୟକୁ ଅସଂଖ୍ୟ ଲୋକ ସେଠାରେ ନିକଟରୁ ଦେଖୁଥାନ୍ତି । କିଛିସମୟ ପରେ ଡାଳଦୁଇଟିକୁ ଦଉଡିଫାଶ ଖୋଲି ମୁକ୍ତ କରିଦେବାରୁ ଡାଳ ଦୁଇଟି ବିପରିତ ଦିଗରେ ଗତିକରି ଜୟି ରାଜଗୁରୁଙ୍କର ଜିଅନ୍ତା ଶରୀରଟିକୁ ଦୁଇ ଜଂଘ ସନ୍ଦିମୂଳରୁ ମୁଣ୍ଡ ପର୍ଯ୍ୟନ୍ତ ଚିରି ଦୁଇଫାଳ କରିଦେଲେ । ହାବୁକାଏ ରକ୍ତ ବରଗଛ ଡାଳ ଉପରେ ପିଚିକିକରି ପଡିଗଲା ପରେ ବାକିତକ ଭୂମିଉପର ଘାସଉପରେ ପଡି ଅରାଏ ଜାଗାକୁ ଜୟି ରାଜଗୁରୁଙ୍କ ବିରରକ୍ତରେ ଲାଲ୍ କରିଦେଲା । ଉପସ୍ଥିତ ଜନତା ଏହି କରୁଣ ଦୃଶ୍ୟକୁ ସହ୍ୟ ନକରିପାରି ନିଜନିଜର ଆଖି ବୁଜିଦେଲେ । ଇତିହାସ ଏପରି ନିର୍ଦ୍ଦୟତାର ସୀମା ବାହାରେ ଅଂଗ୍ରେଜମାନଙ୍କ ଦ୍ୱାରା ଘଟାଯାଇଥିବା ଘଟଣାକୁ ସେହିଦିନ ଠାରୁ ଏପର୍ଯ୍ୟନ୍ତ କେବେ ଆଉ ଦୋହରାଇ ନାହିଁ । ସେଦିନର ଦୃଶ୍ୟ ମାତ୍ର କିଛିବର୍ଷ ପାଇଁ ଦେଶପ୍ରେମୀ ବିରପୁତ୍ରମାନଙ୍କୁ ନିରବ କରିଦେଲା ସତ, କିନ୍ତୁ ପରେ ଏହା ବ୍ରିଟିଶ ବିରୁଦ୍ଧରେ ଏମିତି ବୁମେରାଂ ପରି କାର୍ଯ୍ୟକଲା ଯାହା ଫଳରେ ଦିନେ ସେମାନେ ଆମଦେଶ ଛାଡି ବିତାଡିତ ହେବାକୁ ବାଧ୍ୟ ହେଲେ । ଜୟି ରାଜଗୁରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜାଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟନିଷ୍ଠା ଏବଂ ମାତୃଭୂମି ପ୍ରତି ନିଜର ଶ୍ରଦ୍ଧା ଓ ତ୍ୟାଗ ବିଶ୍ୱରେ ବିରଳ । ଆମ ଓଡିଶା ଜୟି ରାଜଗୁରୁଙ୍କ ପରି ଜଣେ ସଚ୍ଚୋଟ, ସାହସୀ ଏବଂ ପ୍ରଜ୍ଞାବାନ୍ ଯୋଦ୍ଧାର ଜନ୍ମଭୂମି ହିସାବରେ ପ୍ରସିଦ୍ଧ ଏବଂ ସେ ହେଉଛନ୍ତି ଆମ ଓଡିଆ ଜାତିର ଗର୍ବ ଏବଂ ଗୌରବ । ଜୟ ଜୟି ରାଜଗୁରୁ ।