Odisha news

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ

0

ଆରଡି, ତା ୪/୬ : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ରବିବାର ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି କରାଯାଇଥିଲା। ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶ ସଜ୍ଡିତ କରାଯାଇଥିଲା। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ସହ ମଧ୍ଯାହ୍ନ ୧ଟାରେ ଯୋଗୀବେଶ ଓ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା।  ଏକଘଣ୍ଟା ଶୟନ(ଅବକାଶ) ନୀତି ସମ୍ପନ୍ନ ହେବା ପରେ ୫୧ଜଣ ସେବାୟତ ଘଣ୍ଟାକିର୍ତ୍ତନ ଛତ୍ର ଆଲଟ ଆଦି ଧରି ବୈତରଣୀନଦୀ ଅଭିମୁଖେ ଜଳ ଆଣିବା ପାଇଁ ଯାଇଥିଲେ। ଦୀର୍ଘ ୧କିମି ଚାଲିଚାଲି ଜଳ ଆଣିବା ପରେ ସେବାକାରୀଙ୍କ ଦ୍ବାରା ଅଗୁର, ଚନ୍ଦନ ଦ୍ବାରା ସୁବାସିତ ଜଳରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ବଡସିଂହାର ବେଶ, ସଂଧ୍ଯାପୂଜା, ବଡ ଆଳତୀ ଆଦି ନୀତି ସମ୍ପନ୍ନ ହୋଇଥିଲା। ଅନୁରୂପ ଭାବେ ପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରୀତିନୀତି ଅନୁଯାୟୀ ସ୍ନାନ ମଣ୍ଡପରେ ସ୍ନାନ କରାଯାଇଥିଲା।

Leave A Reply