Odisha news

ଅନୁଭବ-ବର୍ଷା ବିବାଦକୁ ନେଇ ରାଜନୀତି ସରଗରମ : ଅନୁଭବଙ୍କ ପ୍ରତି ବିଜେଡିର ଆଭିମୁଖ୍ୟ କିଭଳି ରହିବ, ତାକୁ ନେଇ କଳ୍ପନାଜଳ୍ପନା?

0

ଭୁବନେଶ୍ୱର : ରିଲ୍ ଲାଇଫରେ ସୁପରହିଟ୍ ଯୋଡି ଭାବେ ପରିଚିତ ଅନୁଭବ-ବର୍ଷାଙ୍କ ରିଏଲ୍ ଲାଇଫ ଏବେ ସୁପରଫ୍ଲପ ହେବାକୁ ବସିଛି । ଓଡିଆ ଚଳଚ୍ଚିତ୍ର ଜଗତର ଏହି ଦୁଇ ସୁନାମଧନ୍ୟ ଅଭିନେତା-ଅଭିନେତ୍ରୀ ଗତ ୨୦୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ମଧ୍ୟ ଏବେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇଛି । ଯେଉଁ ଝଡ ଏବେ ସବୁ ଗୋପନୀୟତାକୁ ପଛରେ ପକାଇ ତଥା ପରିବାରର ଚାରିକାନ୍ଥ ଅତିକ୍ରମ କରି କୋର୍ଟର କାଠଗଡା ଯାଏଁ ଯାଇଛି । ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଉଭୟ ଉଭୟଙ୍କ ବିରୋଧରେ ନାନା ପ୍ରକାର ଆରୋପ ଓ ପ୍ରତି ଆରୋପ କରୁଥିବା ବେଳେ ଏହି ଘଟଣା ଏବେ ଆଉ ଗୋପନୀୟ ହୋଇ ନ ରହି ବରଂ ଦାଣ୍ଡରେ ପଡି ହାଟରେ ଗଡିବା ପରିସ୍ଥିତିକୁ ଆସିଯାଇଛି ।

ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଓ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ପତ୍ନୀ ବର୍ଷା କଟକ ଏସଡିଜିଏମ୍ଙ୍କ କୋର୍ଟରେ ଏକ ଭରଣପୋଷଣ ମାମଲା ଦାୟର କରିଥିବା ବେଳେ ଅନୁଭବ ମଧ୍ୟ ଦିଲ୍ଲୀର ଏକ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି । ଉଭୟଙ୍କ ମଧ୍ୟରେ ହୋଇଥିବା ବିବାଦ ଏକାନ୍ତ ବ୍ୟକ୍ତିଗତ ଓ ଏହା ସଂପ୍ରତି କୋର୍ଟରେ ବିଚାରଧୀନ ରହିଥିବାରୁ ଏହାର ଆଗାମୀ ରୂପରେଖ କ’ଣ ହେବ ତାହା ସମୟ କହିବ । କେବଳ ସେତିକି ନୁହେଁ ଉଭୟଙ୍କ ମଧ୍ୟରୁ କିଏ ସତ କହୁଛି କିମ୍ବା କିଏ ମିଛ କହୁଛି ତାହା ମଧ୍ୟ ସମୟ କ୍ରମେ ଜଣାପଡିବ ।

ତେବେ ଅନୁଭବ-ବର୍ଷାଙ୍କ ବିବାଦକୁ ନେଇ ବିଜେଡିର ମୁଖିଆ ନବୀନ ବାବୁ କିମ୍ବା ତାଙ୍କ ଦଳର କୌଣସି ନେତା କିଛି ବି ପ୍ରତିକ୍ରିୟା ରଖି ନଥିôବା ବେଳେ ଅନୁଭବଙ୍କ ଉପରେ ଆଗତ ଅଭିଯୋଗ ଆଧାରରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସମେତ କେତେକ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅନୁଭବ-ବର୍ଷାଙ୍କ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଥିବା ବେଳେ ଆମାଗୀ ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ମାନେ ଯେ, ଏହି ପ୍ରସଙ୍ଗ ନ ଉଠାଇ ହୋ ହାଲ୍ଲା ନ କରିବେ ତାହା କିଏ କହିପାରିବ ।

ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଅନୁଭବ କେବଳ ଜଣେ ଅଭିନେତା ହୋଇଥିଲେ ପତ୍ନୀ ବଷାଁ ଓ ତାଙ୍କ ମଧ୍ୟରେ ହୋଇଥିବା ବିବାଦ ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ସମସ୍ୟା ବୋଲି ଧରି ନିଆଯାଇଥାନ୍ତା ମାତ୍ର ସେ ଯେହେତୁୁ ବିଜୁ ଜନତା ଦଳରୁ ତଥା କେନ୍ଦ୍ରାପଡା ଭଳି ଏକ ସମ୍ମାନଜନକ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ତେଣୁ ତାଙ୍କ ଉପରେ ଆଗତ ଅଭିଯୋଗ ଯେ, ରାଜନୈତିକ ତର୍କ ବିତର୍କ ଭିତରକୁ ଆପେ ଆପେ ଟାଣି ହୋଇଯିବ ଏଥିରେ ସନେ୍ଦହର ଅବକାଶ ନାହିଁ ।

କାରଣ ଓଡିଶାରେ ଦୀର୍ଘ ୨୦ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କରୁଥିବା ନବୀନ ବାବୁ ସଦାସର୍ବଦା ନାରୀ ଜାତିର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପ୍ରତି ତାଙ୍କ ଦଳ ସର୍ବଦା ଗୁରତ୍ୱ ଦେଇ ଆସୁଥିବା କଥା କହୁଥିବା ବେଳେ ତାଙ୍କ ଦଳର ଜଣେ ସାଂସଦଙ୍କ ବିରୋଧରେ ଜଣେ ମହିଳା କରିଥିବା ବିଭିନ୍ନ ସଙ୍ଗୀନ ଅଭିଯୋଗକୁ ସେ କିଭଳି ଦୃଷ୍ଟିରେ ଦେଖିବେ ବା ଅନୁଭବଙ୍କ ପ୍ରତି ତାଙ୍କ ଦଳର ଆଭିମୁଖ୍ୟ କ’ଣ ରହିବ ତାହାକୁ ସମସ୍ତେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

ଗତ ୨୦୧୩ରେ ଅନୁରୂପ ଘଟଣା ଘଟିଥିଲା ପ୍ରାକ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପରିବାରରେ ।ତାଙ୍କ ବୋହୂ ବର୍ଷାସୋନୀ ତାଙ୍କ ପରିବାର ବିରୋଧରେ ଆଣିଥିଲେ ଯୌତୁକ ନିର୍ଯାତନା ଅଭିଯୋଗ । ପରିଣାମ ସ୍ୱରୂପ ସେତେବେଳେ ମନ୍ତ୍ରୀ ଥିବା ରଘୁନାଥ, ତାଙ୍କ ସ୍ତ୍ରୀ ଓ ପୁଅ ରାଜାଶୀ୍ରୀଙ୍କୁ ଜେଲ ଯିବାକୁ ପଡିଥିଲା । କେବଳ ସେତିକି ନୁହେଁ ରଘୁନାଥଙ୍କ ପରିବାରକୁ ଅନେକ ନିନ୍ଦା ଓ ଅପବାଦ ବି ମୁଣ୍ଡାଇବାକୁ ପଡିଥିଲା । ସେତିକିରେ ବି କଥା ସରିଲାନି ବରଂ ପରବର୍ତ୍ତୀ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ ତାଙ୍କୁ ଆଉ ଦଳୀୟ ଟିକେଟ ମଧ୍ୟ ଦେଲା ନାହିଁ ।

ତେବେ ଅନୁଭବଙ୍କ କ୍ଷେତ୍ରରେ ବିଜୁ ଜନତା ଦଳର ଆଭିମୁଖ୍ୟ କ’ଣ ରହିବ ତାହା ସମସ୍ତଙ୍କୁ ସନେ୍ଦହରେ ପକାଇଛି । ପ୍ରାକ୍ତନ ମନ୍ତ୍ରୀ ରଘୁନାଥ ଭଳି ଅନୁଭବଙ୍କ ପ୍ରତି ସେହି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ଏହା ଅନୁଭବଙ୍କ ବ୍ୟକ୍ତିଗତ ସମସ୍ୟା, ଆଇନ ତା’ବାଟରେ ଯିବ ଆଦି କଥା କହି ଦଳପତି ନବୀନ ବାବୁ ଘଟଣାକୁ ଟାଳି ଦେବାକୁ ପ୍ରୟାସ କରିବେ, ତାହା ଦେଖିବାକୁ ବାକି ରହିଲା । ବିଜୁ ଜନତା ଦଳ ଯଦି ସତରେ ନାରୀକୁ ସମ୍ମାନ ନୀତିରେ ବିଶ୍ୱାସ ରଖୁଥାଏ ତେବେ ଦଳ ନିଶ୍ଚୟ ସାଂସଦ ଅନୁଭବ ମହାନ୍ତିଙ୍କୁ ନୀତି ନୈତିକତାର ଶିକ୍ଷା ଦେଇ ଆଗାମୀ ଆହ୍ୱାନକୁ ସାମ୍ନା କରିବାକୁ ପରାମର୍ଶ ଦେବ ବୋଲି ଆଶା କରାଯାଏ ।

Nalco
Leave A Reply