ଓଡ଼ିଶାରେ ଆଉ ନୂଆ ୨୦ ଜଣ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ ପଜିଟିଭ ଚିହ୍ନଟ : ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ଅନୁଯାୟୀ
ଭୁବନେଶ୍ୱର: ରାଜ୍ୟରେ ୪୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବର୍ତ୍ତମାନ ଆଉ ନୂଆ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି | ଏହି ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି | ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୪୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୨୬ଟି ସକ୍ରିୟ ମାମଲା ରହିଛି |
ସେହିପରି ୮୫ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି | ୨୦ ନୂଆ କରୋନା ପଜିଟିଭଙ୍କ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଂଚିଥିବାବେଳେ ୧୫୩ଟି ସକ୍ରିୟ ମାମଲା ଥିବାବେଳେ ଜଣକର ମୃତ୍ୟୁ ହୋଇଛି |
ଆଜି ସମୁଦାୟ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତକାଲି ପ୍ରଥମ ଥର କରୋନା ମାନଚିତ୍ରରେ ବୌଦ୍ଧ ସାମିଲ ହୋଇଥିଲା | ଗତକାଲି ଏହି ଜିଲ୍ଲାରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧ ଜଣ ଚିହ୍ନଟ ହୋଇଛନ୍ତି | ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨୫୬ ଜଣଙ୍କ ବୟସ ୧୫ରୁ ୪୦ ବର୍ଷରୁ ହୋଇଥିବାବେଳେ, ୪୧ରୁ ୬୦ ବର୍ଷର ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୨୮ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ୧୩ ଜଣଙ୍କର ବୟସ ୦ରୁ ୧୪ ବର୍ଷ ମଧ୍ୟରେ ଅଛି |