ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ଗତ ନଭେମ୍ବର ୨୫ ତାରିଖରେ ଏକ ଗୁଳିମାଡ ହୋଇଥିଲା । ଏହି ଗୁଳି ମାଡରେ ପାତ୍ରପଡା ଗ୍ରାମର ଧରଣୀଧର ସାହୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଥିଲେ । ସେହି ଦିନ ଠାରୁ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ତାକୁ ଧରିବାରେ ସକ୍ଷମ ହୋଇପାରିନଥିଲେ ।
ତେବେ ଏହି ଘଟଣାର ପର୍ଦ୍ଦଫାସ କରିବା ସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟୁକୁନା ସାହୁକୁ ଛେଣ୍ଡିପଦା ପୁଲିସ ଶନିବାର ଦିନ ଗିରଫ କରିଛି । ହଣ୍ଡପା ଥାନା ନାକଚି ଅଚଂଳରେ ପାତ୍ରପଡା ଅଚଂଳର ଟୁକୁନା ଥିବାର ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିବାରେ ସଫଳ ହେବା ସହ ତା ନିକଟରୁ ଏକ ମାଉଜରକୁ ଜବତ କରାଯାଇଛି । ଗଂଜେଇ ବ୍ୟବସାୟକୁ ନେଇ ଗତ ନଭେମ୍ବର ମାସରେ ଏହି ଗୁଳିମାଡ ହୋଇଥିଲା ବୋଲି ଛେଣ୍ଡିପଦା ଥାନା ପୁଲିସ ପ୍ରକାଶ କରିଥିବା ବେଳେ ଟୁକୁନା ନାମରେ ମାଲକାନଗିରି ବୁଦୁଲିଗୁଡା ଥାନାରେ ଏକ ଏନଡିପିଏସ ମାମଲା ମଧ୍ୟ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।