ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡର ଘଷିପୁରା ପଞ୍ଚାୟତ ସମିତି ଅନ୍ତର୍ଗତ ବାତୋ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଶ୍ରୀ ଗୟାଧର ନାଥଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶ୍ରୀ ନାଥ, ଉକ୍ତ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସାବିତ୍ରୀ ନାଥଙ୍କ ସ୍ୱାମୀ ଅଟନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ମାସାଧିକ କାଳ ଧରି ଚିକିତ୍ସିତ ହୋଇଆସୁଥିଲେ ବୋଲି ଜଣାପଡିଛି । ତାଙ୍କ ପରଲୋକ ଖବର୍ ପାଇ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର ରବିବାର ରାତିରେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ସକାଳେ ତାଙ୍କ ମରଶରୀର, ତାଙ୍କ ଜନ୍ମସ୍ଥାନ ବାତୋଠାରେ ପହଞ୍ଚିବା ପରେ ହଜାର ହଜାର ଶୋକାକୁଳ ଜନତା ଏକ ବିଶାଳ ପଟୁଆରରେ ଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଶବାଧାରରେ, ଘଷିପୁରା ବ୍ଲକର ଭୂତପୂର୍ବ ଅଧ୍ୟକ୍ଷ ତଥା ଯୁବନେତା ଶ୍ରୀ ଦେବାଶିଷ ପାତ୍ରଙ୍କ ନେତୃତ୍ବରେ ବୁବୁଲା ରାଉତ, ଅକ୍ଷୟ ସାହୁ, ଟୁଲୁ ସାହୁ, ବିଭାସ ନାୟକ ପ୍ରମୁଖ ସମାଜର ବିଭିନ୍ନ ବର୍ଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।