ଭୁବନେଶ୍ୱର: ସମୁଦ୍ରରୁ ଉପକୂଳ ଆଡ଼କୁ ମାଡିଆସୁଛି ମହାବାତ୍ୟା ଅମ୍ପନ। ଏହା ପ୍ରଭାବରେ ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର ବେଗରେ ପବନ ହେବ। ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବହିବ।
ତେବେ ୧୯ ଓ ୨୦ରେ ରାଜ୍ୟରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଆସନ୍ତାକାଲି ସକାଳେ ଉତ୍ତର ଓଡିଶାର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜରେ ଠାଏ ଠାଏ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ଏସବୁ ଜିଲ୍ଲାରେ ପବନରେ ବେଗ ସର୍ବାଧିକ ଘଣ୍ଟାପ୍ରତି ୭୫ କିମି ଯାଏ ରହିବା ନେଇ ଆଶଙ୍କା ରହିଛି।
ଖୋର୍ଦ୍ଧା ଓ ପୁରୀରେ ବି ବର୍ଷା ହେବ। ସେପଟେ ୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷିବ। ଏହି ସମୟରେ ୫ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ପବନରେ ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ଏବଂ ସ୍ଥଳ ବିଶେଷରେ ୧୩୫ କିଲୋମିଟର ଯାଏଁ ଛୁଇଁବା ନେଇ ଆକଳନ କରାଯାଇଛି।
ଏହି ଦିନ ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ମଧ୍ୟ ସର୍ବାଧିକ ୭୫ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ଅମ୍ଫାନ୍ ଅତିକ୍ରମ କରିବା ବେଳେ ଉପକୂଳବର୍ତ୍ତୀ ଏରସମା, ପାରଦୀପ, ରାଜନଗର, ମହାକାଳପଡା, ତିହିଡି, ବାସୁଦେବପୁର, ଧାମରା, ଭୋଗରାଇ ଆଦି ସ୍ଥାନ ବିଶେଷ ଭାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଇଛି।