Odisha news

ହାଇୱା ଦୁର୍ଘଟଣା : ଯୁବକ ମୃତ, ଦୁଇ ଆହତ

0

ବେତନଟୀ : ଆଜି ବେତନଟୀ ଉପକଣ୍ଠରେ ଥିବା ସତନାମ ଢ଼ାବା ନିକଟରେ ମାଲିକ ତରଫରୁ ବୈଶାଖି ପାଇଁ ଚଣା ଓ ସରବତ ପ୍ରଦାନ କରା ଯାଉ ଥିଲା । ଏଥିରେ ସତନାମ ହୋଟେଲରେ କାମ କରୁ ଥିବା ତୁଳସୀଚୌରାର ଅର୍ଜୁନ ମହାନ୍ତଙ୍କ ପୁଅ ନବଘନ ମହାନ୍ତ ଓରଫ ବଡେ (୨୨)ଙ୍କୁ ମାଲିକ ଏହି ଚଣା ବାଣ୍ଟିବାକୁ ନିୟୋଜିତ କରି ଥିଲା । ଏହା ଦ୍ୱାରା ଏହି ହୋଟେଲ ସମ୍ମୁଖରେ ମାତ୍ରାଧିକ ଭିଡ ହୋଇ ଯାଇ ଥିଲା । ଏହି ସମୟରେ ବାରିପଦା ପଟୁ ମାଟି ବୋଝେଇ କରି ଓଡି-୦୧ୟୁ-୭୨୬୩ ହାଇୱାଟି ବେତନଟୀ ପଟକୁ ଆସୁ ଥିଲା । ଭିଡ ହେତୁ ରାସ୍ତା ଉପରେ ପତ୍ର ବୋଝେଇ ହୋଇ ଥିବା ଏକ ଟିପ୍ପର ନମ୍ବର ଓଡି-୦୧ୟୁ-୩୪୩୧କୁ ଧକ୍କା ଦେଇ ଥିଲା । ଏହି ଟିପ୍ପରଟି ପରେ ଦୁଇଟି ମୋଟର ସାଇକେଲ ସହିତ ସର୍ବତ ଓ ଚଣା ବାଣ୍ଟୁଥିବା ନବଘନ ଓ ଅନ୍ୟ ମାନଙ୍କୁ ଧକ୍କା ଦେଇ ଥିଲା ।

ଏଥିରେ ନବଘନ ଗୁରୁତର ଆହତ ହୋଇ ଥିବା ବେଳେ ଦୁଇ ଜଣ ମୋଟର ସାଇକେଲ ଆରୋହୀ ଆହତ ହୋଇ ଥିଲେ । ନବଘନଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍୍ୟ କେନ୍ଦ୍ରକୁ ଅଣା ଯାଇ ଥିଲା । ଏଠାରେ ଡାକ୍ତର ଅନ୍ନଦା ଜେନା ନବଘନଙ୍କୁ ମୃତ ଘୋଷଣା କରି ଥିଲେ । ଘଟଣାକୁ ନେଇ ତୁଳସୀଚୌରା ଓ ଆଖପାଖରେ ଚାପା ଉତ୍ତେଜନା ପ୍ରକାଶ ପାଇ ଥିଲା । ପ୍ରଶାସନ ତରଫରୁ ସତନାମ ହୋଟେଲକୁ ଲକଡାଉନ ସମୟରେ ଖୋଲିବାକୁ ଅନୁମତି ପ୍ରଦାନ କରା ଯାଇ ଥିବା ବେଳେ ସେ କାହା ଅନୁମତିରେ ଚଣା ସରବତ ବାଣ୍ଟୁ ଥିଲେ ଏହାକୁ ନେଇ ଲୋକେ ପ୍ରଶ୍ନ କରି ଥିଲେ । ତେବେ ନବଘନଙ୍କୁ ମୃତ ଘୋଷଣା ପରେ ଜିଲ୍ଲାପାଳଙ୍କ ତରଫରୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ରୋଗୀଙ୍କୁ ବୋହିବା ପାଇଁ ପ୍ରଦାନ କରା ଯାଇ ଥିବା ୧୦୩୩ ଆମ୍ବୁଲାନସ ସହାୟତାରେ ମୃତ ଶରୀରକୁ ବାରିପଦା ସ୍ଥାନାନ୍ତରର କରା ଯାଇ ଥିବାର ଜଣା ପଡିଛି । ବେତନଟୀ ଥାନା ଏସଆଇ ବିନୟରଞ୍ଜନ ପରିଡା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

ଦୁର୍ଘଟଣା ପରେ ଡମ୍ଫରର ଡ୍ରାଇଭର ବିଶୋଇର ଭାଗମାତ ହାଁସଦା ଡମ୍ଫର ସହିତ ବେତନଟୀ ଥାନାରେ ଆତ୍ମ ସମର୍ପଣ କରି ଥିବାର ଜଣା ପଡିଛି । ପୋଲିସ ଡମ୍ଫର, ଟିପ୍ପରକୁ ଜବତ କରିବା ସହିତ ଭାଗମାତକୁ ଗିରଫ କରି ଥିବାର ଜଣା ପଡିଛି । ମୃତ ନବଘନଙ୍କ କକା ଖଗେଶ୍ୱର ମହାନ୍ତଙ୍କ ଲିଖିତ ଅଭିଯୋଗ ମୂଳେ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ କରା ଯାଇଛି । ନବଘନ ଓ ମନୋଜ ଦୁଇ ଜଣ ଜାଆଁଳା ଭାଈ ବୋଲି ଜଣା ପଡିଛି । ନବଘନକୁ ବଡେ ଓ ମନୋଜଙ୍କୁ ଛୋଟେ ବୋଲି ଲୋକେ ଡାକୁ ଥିଲେ । ଏବେ ହଠାତ ବଡେର ମୃତ୍ୟୁକୁ ନେଇ ପରିବାରର ସମସ୍ତ ସଦସ୍ୟ ଶୋକାଗ୍ରସ୍ତ ହୋଇ ଥିବା ବେଳେ ଜାଆଁଳା ଭାଈ ଛୋଟେ ମର୍ମାହତ ହୋଇ ପଡିଛନ୍ତି ।

Nalco

Leave A Reply