ରାୟଗଡା (Rabindra Patakhandal)- ରାୟଗଡା ସହରସ୍ଥିତ ଜିସିଡି ହାଇସ୍କୁଲ ଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଗଞ୍ଜାମ ଜିଲ୍ଲାର ପଲୋସରା ଗ୍ରାମର ଜଗୁ ପାତ୍ର ନାମକ ଜଣ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସୂଚନା ମୁତାବକ ୧୫ ଦିନ ପୂର୍ବରୁ ଜଗୁ ପାତ୍ର ଆନ୍ଧ୍ରପ୍ରଦେଶରୁ ଓଡିଶା ଆସିବା ସମୟରେ ରାୟଗଡା ପୋଲିସ ଜଗୁ ପାତ୍ରକୁ ଅଟକ ରଖି ବିବରଣୀ ନେଇଥିଲେ । ପରେ ରାୟଗଡା ମେଡିକାଲରେ ଜଗୁ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ ପରେ ସେଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ମୁଖ୍ୟ ଚିକିତ୍ସାଳୟର ସଙ୍ଗରୋଧ କେନ୍ଦ୍ରରେ ରହିଥିବା ସମୟରେ ଜଗୁ ପାତ୍ର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଜଗୁ ପାତ୍ରଙ୍କୁ ଜିସିିଡି ହାଇସ୍କୁଲ ସ୍ଥିତି ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ତେବେ ଆଜି ପୁଣି ଥରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଗୁ ପାତ୍ର । ସଙ୍ଗରୋଧ କେନ୍ଦ୍ରରେ କେହି ନଥିବାର ସୁଯୋଗ ନେଇ କେହି ପାଇଖାନା ଯିବା ବାହାନରେ ନିଜକୁ ଭିତର ପଟୁ କବାଟ ବନ୍ଦ କରି ଫିନାଇଲ ପିଇ ଦେଇଥିଲା ଜଗୁ ପାତ୍ର । କିଛି ସମୟରେ ପରେ ବାନ୍ତି ସହ ଚିକ୍ରାର କରିବାକୁ ଲାଗିଲା ଜଗୁ । ପାଟି ଶୁଣି ସଙ୍ଗରୋଧ କେନ୍ଦ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ତୁରନ୍ତ ଜଗୁ ପାତ୍ରକୁ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତବନ୍ଧୁ ନାୟକ । ତେବେ କାହିଁକି ଏବଂ କେଉଁ କାରଣରୁ ଜଗୁ ପାତ୍ର ଦୁଇ ଦୁଇ ଥର ଆତ୍ମହତ୍ୟା ଉଦମ୍ୟ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।